ରାଷ୍ଟ୍ରପତି ଭବନର ଅନୁଭୂତି ବଖାଣିଲେ ରାଇରଙ୍ଗପୁରବାସୀ । କହିଲେ ମହାମହିମଙ୍କ ସହ ମିଶି ରୂପା ବାସନରେ ଖାଇବାକୁ ମିଳିଲା ସୁଯୋଗ ।

206

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ନିକଟରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ତାଙ୍କ ଗାଁ ରାଇରଙ୍ଗପୁରର ୬୦ ଜଣ ବ୍ୟକ୍ତି । କେବଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହିଁ ନୁହେଁ ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ସହ ଏକାଠି ଭୋଜନ କରିବାର ଅବସର ମଧ୍ୟ ମିଳିଥିଲା ସେମାନଙ୍କୁ । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ଭବନରେ କିପରି କଟିଥିଲା ସେମାନଙ୍କ ସମୟ ଆଉ କିଭଳି ରହିଛି ସେମାନଙ୍କ ଅନୁଭୂତି ?

ରାଷ୍ଟ୍ରପତି ଭବନକୁ ଗଲେ । ମହାମହିମଙ୍କ ସହ ଭୋଜନ କଲେ । ଏଭଳି ସୌଭାଗ୍ୟ ହାସଲ କରିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ସାଙ୍ଗ, ସମ୍ପର୍କୀୟ , ଶୁଭେଚ୍ଛୁ ଓ ରାଇରଙ୍ଗପୁର ଅଞ୍ଚଳର ୬୦ ବ୍ୟକ୍ତି । ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଏମାନେ ଦିଲ୍ଲୀ ଯାଇଥିଲେ । ଯାହା ସ୍ୱପ୍ନରେ କେବେ ଭାବିନଥିଲେ ତାହା ସାକାର ହୋଇଛି ରାଇରଙ୍ଗପୁରର ଅଞ୍ଚଳବାସୀଙ୍କ ପାଇଁ । ରାଷ୍ଟ୍ରପତି ଭବନ ବୁଲି ଅନୁଭୁତି ବଖାଣିଛନ୍ତି ଆଉ ମଧ୍ୟାହ୍ନଭୋଜନରେ ସାମିଲ ହୋଇଛନ୍ତି ରାଇରଙ୍ଗପୁର ବାସିନ୍ଦା ।

– ରାଇରଙ୍ଗପୁରର ୬୦ଜଣ ଲୋକ ଦ୍ରୌପଦୀ ମୁର୍ମୁ ଶପଥ ନେଲା ବେଳେ ଉପସ୍ଥିତ ଥିଲେ
-ଏହାପରେ ସ୍ୱତନ୍ତ୍ର ବସରେ ଯାଇଥିଲେ ରାଷ୍ଟ୍ରପତି ଭବନ
-ରାଷ୍ଟ୍ରପତି ଭବନ ଗାଇଡଙ୍କ ସହାୟତାରେ ଅଶୋକା ହଲ, ଦରବାର ହଲ ଓ ଅନ୍ୟ ସ୍ଥାନ ବୁଲଥିଲେ
-ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇ ଖାଇଲେ ଶାକାହାରୀ ଭୋଜନ
-ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା
-ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ ରାଷ୍ଟ୍ରପତି
-ରୂପା ବାସନ ଓ ରୂପା ତାଟିଆରେ ଖାଇଲେ ରାଇରଙ୍ଗପୁର ବାସିନ୍ଦା
-ଥାଳିକୁ ଛାଡିଦେଲେ ସବୁ ବାସନ ଥିଲା ରୂପା
– ସବୁ ବାସନରେ ଅଶୋକ ସ୍ତମ୍ଭର ଚିହ୍ନ ରହିଥିଲା

ଶପଥ ଗ୍ରହଣ ସମାରୋହଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବୁଲିବାର ଅନୁଭୂତିକୁ ଜୀବନର ବଡ ଅନୁଭୂତି ବୋଲି କହିଛନ୍ତି ରାଇରଙ୍ଗପୁର ବାସିନ୍ଦା । ତେବେ ରାଷ୍ଟ୍ରପତି ଭବନକୁ ମୋବାଇଲ ଓ କ୍ୟାମେରା ନେବାକୁ ଅନୁମତି ନାହିଁ । ତେଣୁ ଫଟୋରେ ଏହି ଐତିହାସିକ ମୂହୂର୍ତ୍ତ କଏଦ ହୋଇପାରିନାହିଁ । ତାସତ୍ତେ୍ୱ ସେହି ମୂହୂର୍ତ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ।