କଳାପଥରର କଳା କାହାଣୀ । ମାଟି ଅତଡା ଖସିବା ପରେ ଚାପି ହୋଇ ଶ୍ରମିକ ମୃତ୍ୟୁ । ଯାଜପୁର ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରୁ ବେଆଇନ ଖଣି ଖନନକୁ ନେଇ ଉଠିଲା ପ୍ରଶ୍ନ ।

117

କନକବ୍ୟୁରୋ : ପେଟ ପାଇଁ ଖଦାନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଶ୍ରମିକ ନିଖୋଜ ଥିବା ଆଶଙ୍କା କରାଯାଉଛି । ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ମାଟି ଅତଡ଼ା ଧସିବା ଫଳରେ ପାଖାପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଆଉ ଏହାରି ଭିତରେ ଜଣେ ଚାପି ହୋଇମୃତ୍ୟୁବରଣ କରିଛନ୍ତି ।

କଳା ପଥର ଖାଦାନରେ ବିଳମ୍ବିତ ରାତିରେ ଡ୍ରିଲ ହେଉଥିବା ବେଳେ ମାଟି ଅତଡ଼ା ଧସି ତା ତଳେ ୩ଜଣ ଆନ୍ଧ୍ରପ୍ରଦେଶର ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ମାଫିଆଙ୍କ ଭୟରେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସିପାରୁନଥିବା ଅଭିଯୋଗ ହୋଇଥିବା ବେଳେ ଜେନାପୁର ପୋଲିସର ନିଷ୍କ୍ରିିୟତା ନେଇ ସ୍ଥାନୀୟ ଅଂଚଳରେ ଅଭିଯୋଗ ହୋଇଛି ।

ଏପଟେ ଘଟଣାସ୍ଥଳରେ ବିଜେପି ନେତ୍ରୀ ସ୍ମୃତିରେଖା ପହି ପହଂଚି ମୃତକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିବା ସହ ବେଆଇନ ଖଦାନ ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏହି ଘଟଣ ପାଇଁ ଦାୟୀ କିଏ? ଏବଂ କାହିଁକି ଘଟିଲା ଅଘଟଣ? ତାକୁ ନେଇ କୌଣସି ସନ୍ତୋଷଜନକ ଉତର କାହା ପାଖରେ ନାହିଁ ।