ଚର୍ଚ୍ଚାରେ ବଲାଙ୍ଗୀରର ହିଟ୍ ଆଣ୍ଡ ରନ୍ ମାମଲା । ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ଗାଡି ଧକ୍କା ଦେଇଥିବା ଅଭିଯୋଗ, ଜଣେ ମୃତ, ଜଣେ ଗୁରୁତର ।

134

କନକ ବ୍ୟୁରୋ: ଚର୍ଚ୍ଚାରେ ବଲାଙ୍ଗୀରର ହିଟ୍ ଆଣ୍ଡ ରନ୍ ମାମଲା । ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ଗାଡି ଧକ୍କା ଦେଇଥିବା ଅଭିଯୋଗ । ମିନିଟ୍ରକ ମାଡି ଯାଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ଆରଟିଓ ଅଫିସ ଛକ ନିକଟରେ ଏକ ମିନିଟ୍ରକ ଏକ ବାଇକକୁ ଧକ୍କା ଦେଇଥିଲା । ତା ପରେ ବାଇକ ଯାଇ ରାସ୍ତାକଡ ଏକ ଇନୋଭା ଭିତରକୁ ପଶିଯାଇଥିଲା । ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣକ ଶ୍ରୀକାନ୍ତ ବାଗ ଓ ସେ ବରଗଡର ବୋଲି ଜଣାପଡିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ସ୍ଥାନୀୟ ଆରଟିଓ ଛକରେ ଥିବା ଏକ ହୋଟେଲର ମାଲିକ ସାନୁ ନାୟକଙ୍କ ହୋଟେଲରେ କାମ କରୁଥିଲେ ବୋଲି ଜଣାପଡିଛି ।

ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିବା ବେଳେ ପରେ ମିନିଟ୍ରକର ଡ୍ରାଇଭରକୁ ଖୋଜାଖୋଜି କରିବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ଏହି ଦୁର୍ଘଟଣାରେ ସାନୁ ନାୟକଙ୍କ ସମେତ ସ୍ଥାନୀୟ ଅଂଚଳର ଆଉ ଜଣେ ବ୍ୟକ୍ତି ଚିତ ମହାନ୍ତି ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରୁ କିଛି ବ୍ୟକ୍ତି ଚିତ ମହାନ୍ତି, ମିନିଟ୍ରକ ଚଳାଉଥିବା କହିଥିବା ବେଳେ ଅନ୍ୟ କିଛି ଚିତଙ୍କ ଭାଇ ମନ ମହାନ୍ତି ଗାଡି ଚଳାଉଥିବା କହିଥିଲେ । ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ଏହାରି ଭିତରେ ଷଡଯନ୍ତ୍ର ପୁଣି ସାମ୍ନାକୁ ଆସିଥିଲା, ଯେତେବେଳେ ଦୁର୍ଘଟଣା ଘଟାଇଥିବା ନମ୍ବର ପ୍ଲେଟକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । କାରଣ ଆଗପଟ ନମ୍ବର ପ୍ଲେଟରେ ରଙ୍ଗା ଲଗାଯାଇ ନମ୍ବରକୁ ଲିଭାଇ ଦିଆଯାଇଥିଲା ଓ ପଛପଟ ନମ୍ବର ପ୍ଲେଟରେ ବି କାଳି ଲଗାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରାଯାଇଥିଲା କି । ସେପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନୁ ନାୟକଙ୍କ ଉପରେ ଚିତ ମହାନ୍ତି ଆକ୍ରମଣ କରିଥିବା ସାନୁ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ପୁରା ପରିବାରକୁ ହତ୍ୟା କରିବା ପାଇଁ ଚିତ ଧମକ ଦେଇଥିବା ସାନୁ କହିଛନ୍ତି ।