ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଙ୍ଗଠନ ‘ତେହରିକ-ଏ-ତାଲିବାନ’ । ଟିଟିପି ବିରୋଧରେ ୮୩ ହଜାର ପାକ୍ ନାଗରିକଙ୍କ ହତ୍ୟା ଅଭିଯୋଗ

83

କନକ ବ୍ୟୁରୋ: ଖାଦ୍ୟ ଓ ଆର୍ଥିକ ସଙ୍କଟ ଭିତରେ ଆତଙ୍କୀ ଆକ୍ରମଣକୁ ନେଇ ଚିନ୍ତାରେ ପାକିସ୍ତାନ ସରକାର । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ପାକ୍ ସେନା ଓ ଆତଙ୍କୀ ସଙ୍ଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ଭିତରେ ଉତ୍ତେଜନା । ଆଜି ସକାଳୁ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ପାକ୍ ପୋଲିସ ଓ ତାଲିବାନୀଙ୍କ ଭିତରେ ସକାଳୁ ଫାୟାରିଂ ଜାରି ରହିଛି । ଏଥିରେ ଉଭୟ ପକ୍ଷର ଏକାଧିକ ଲୋକେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

ଆଫଗାନିସ୍ତାନର ଜଣେ ସାମ୍ବାଦିକଙ୍କ ସୂଚନା ଅନୁସାରେ ପାକିସ୍ତାନର ତୋରଖମ୍ ଅଞ୍ଚଳରେ ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନରେ ସକ୍ରିୟ ଥିବା ତେହରିକ୍ ତାଲିବାନ ପାକିସ୍ତାନ ପୋଲିସକୁ ଧମକ ଦେଇଥିଲା । ସେନା ଓ ସେମାନଙ୍କ ଲଢେଇ ଭିତରେ ନ ଆସିବାକୁ ପାକ୍ ପୋଲିସଙ୍କୁ ଧମକ ଦେଇଥିଲା ଆତଙ୍କୀ ସଙ୍ଗଠନ ତେହରିକ ତାଲିବାନ ପାକିସ୍ତାନ । ରବିବାର ତେହରିକ୍ ତାଲିବାନ ପକ୍ଷରୁ କୁହାଯାଇଥିଲା, ପାକ୍ ପୋଲିସ୍ ନିର୍ଦ୍ଦୋଶ ଲୋକଙ୍କୁ ପ୍ରଥମେ ଗିରଫ କରୁଛନ୍ତି ପରେ ସେମାନଙ୍କୁ ଗୁଳି କରି ମାରି ଦେଉଛନ୍ତି । ଆମେ ପୋଲିସର ସେହି ମନମାନିର ପ୍ରତିଶୋଧ ନେଉଛୁ ।

ପାକିସ୍ତାନକୁ ‘ତାଲିବାନ’ ଚିନ୍ତା

  • ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଙ୍ଗଠନ ‘ତେହରିକ-ଏ-ତାଲିବାନ’
  • ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି
  • ଟିଟିପି ବିରୋଧରେ ୮୩ ହଜାର ପାକ୍ ନାଗରିକଙ୍କ ହତ୍ୟା ଅଭିଯୋଗ
  • ନିକଟରେ ପେଶାୱର ମସଜିଦ୍ ବିସ୍ଫୋରଣ ପଛରେ ଥିଲା ଟିଟିପି
  • ୨୦୦୭ ବେନଜିର ଭୁଟ୍ଟୋଙ୍କ ହତ୍ୟାକାଣ୍ଡର ଦୋଷୀ ଟିଟିପି
  • ୨୦୦୯ କରାଚି ପୋଲିସ ହେଡକ୍ୱାଟର ଆକ୍ରମଣ ପଛରେ ଥିଲା
  • ୨୦୧୨ ମଲାଲା ୟୁସୁଫ ଜାୟୀଙ୍କ ଉପରେ ଆକ୍ରମଣ କରିଥିଲା
  • ୨୦୧୪ ଆର୍ମି ସ୍କୁଲରେ ଆକ୍ରମଣ କରିଥିଲା ଟିଟିପି
  • ଯେଉଁଥିରେ ୧୩୧ ସ୍କୁଲ ପିଲା ଏବଂ ୧୫୦ ଲୋକଙ୍କ ମୃତ୍ୟୁ
  • ଜାତିସଂଘ ସୂଚନା ଅନୁସାରେ ପାକିସ୍ତାନରେ ୬ହଜାରରୁ ଅଧିକ ଟିଟିପି ଆତଙ୍କୀ

ପାକିସ୍ତାନ ସରକାର ଓ ଟିଟିପି ଭିତରେ ଉତ୍ତେଜନା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ପାକିସ୍ତାନର ଖୈବର ଫଖତୁନୱାରେ ବେଶ ସକ୍ରିୟ ରହିଛନ୍ତି ପାକ୍ ତାଲିବାନୀ । ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ପାକିସ୍ତାନରେ ଆହୁରି ଉଗ୍ର ହେବାରେ ଲାଗିଛି ଟିଟିପି । ୧୫ ଅଗଷ୍ଟ ୨୦୨୧ରୁ ୧୪ ଅଗଷ୍ଟ ୨୦୨୨ ଟିଟିପିର ଆକ୍ରମଣ ସଂଖ୍ୟା ବହୁତ ବଢିଯାଇଥିବା ଜଣାପଡିଛି ।