ଅସ୍ତରଙ୍ଗ ଓ କାକଟପୁରରେ ଅଧା ହୋଇ ପଡିଛି ରାଡ଼ାର ନିର୍ମାଣ : ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

51

କନକ ବ୍ୟୁରୋ : ଅଧା ହୋଇ ପଡି ରହିଛି ରାଡ଼ାର ନିର୍ମାଣ । ବାତ୍ୟା, ଲଘୁଚାପ ଓ ସୁନାମୀ ଭଳି ସାମୁଦ୍ରିକ ବିପର୍ଯ୍ୟୟ ସଂପର୍କରେ ଆଗୁଆ ସୂଚନା ପାଇଁ ପୁରୀ ଜିଲ୍ଲାର ଉପକୂଳିଆ ବ୍ଲକ୍ ଅସ୍ତରଙ୍ଗ ଓ କାକଟପୁରରେ ପ୍ରତିଷ୍ଠା ହେଉଛି ଏହି ରାଡ଼ାର ପ୍ରକଳ୍ପ । ହେଲେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରଶମନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଅଧାରୁ ବନ୍ଦ ରହିଛି । ମୁଖ୍ୟ ରାଡ଼ାର ସହ ସମୁଦ୍ରକୂଳିଆ ଅଂଚଳ ସହନ, ଡାଳୁଅକଣି, ନଗର ଓ ତାଳଦା ଠାରେ ଚାଲିଛି ମିନି ରାଡାର ନିର୍ମାଣ । ତେବେ ନିର୍ମାଣକାରୀ ଠିକା କଂପାନୀ ପକ୍ଷରୁ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ସାମୁଦ୍ରିକ ଝଡ଼, ବାତ୍ୟା କିମ୍ବା ସୁନାମୀ ଆସିବା ପୂର୍ବରୁ ସାଇରନ୍ ମାଧ୍ୟମରେ ଆଗୁଆ ସୂଚନା ଦେଇଥାଏ ଏହି ରାଡାର । ମିନି ଟାୱାରର ସାଇରନ୍ ୪ କିଲୋମିଟର ଓ ବ୍ଲକରେ ସ୍ଥାପିତ ମୁଖ୍ୟ ଟାୱାରର ୧୫ କିଲୋମିଟର ପର୍ଯ୍ୟନ୍ତ ସାଇରନ୍ ଶୁଭିବାର କ୍ଷମତା ରହିଛି । ତେବେ ହାଇଦ୍ରାବାଦର ଏକ ଠିକା କଂପାନୀ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ଆଉ ଠିକ୍ ସମୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ । ତେବେ କେତେ ଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ ଶେଷ ହେଉଛି ଏହା ଉପରେ ରହିଛି ସ୍ଥାନୀୟ ଲୋକଙ୍କ ନଜର ।