ଆତ୍ମହତ୍ୟାର ଚରମ ନିଷ୍ପତି ନେଉଛନ୍ତି ଛାତ୍ରଛାତ୍ରୀ। ୨ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩ ଛାତ୍ରଙ୍କ ମୃତ୍ୟୁ। 

90

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଝୁଲନ୍ତା ଅବସ୍ଥାରେ ପିଲାଙ୍କ ମୃତଦେହ ଉଦ୍ଧାର ହେଉଛି । ତେବେ ଏବେ ଚିନ୍ତା କରିବାର ବିଷୟ କାହିଁକି ଛାତ୍ରଛାତ୍ରୀ ହାରୁଛନ୍ତି ଜୀବନ । ଗତ ୨ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳ ସିପେଟରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ର ଜଣଙ୍କ ପୁରୀ ଜିଲ୍ଲା ବାଟମଙ୍ଗଳା ଅଞ୍ଚଳର ବିଶ୍ୱମ୍ବର ସାହୁଙ୍କ ୨୧ ବର୍ଷୀୟ ପୁଅ ବିବେକ ସାହୁ । ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ ବିବେକ୍, ସିପେଟ୍ରେ ୬ ମାସିଆ ଦକ୍ଷତା ବିକାଶ ତାଲିମ ନେଉଥିଲେ । ଆଉ ମାତ୍ର ସପ୍ତାହେ ପରେ କୋର୍ସ ସାରି ସେ ଘରକୁ ଫେରିଥାଆନ୍ତେ । କିନ୍ତୁ ହଷ୍ଟେଲ ରୁମରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ସମ୍ବଲପୁରରେ ମଧ୍ୟ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ବୁର୍ଲା ଢିପାପଡା ଅଞ୍ଚଳରେ ଜଣେ ଛାତ୍ର ଜୀବନ ହାରିଛନ୍ତି । ଯୁକ୍ତ ଦୁଇ ପରୀକ୍ଷାରେ କମ୍ ମାର୍କ ରଖିଥିବାରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଛାତ୍ର ରୋହନ କୁମାର ଗୁରୁଙ୍ଗ ଆତ୍ମହତ୍ୟା କରିଥିବା ପରିବାର ଲୋକ ପ୍ରତିକ୍ରିୟା ରଖିଛନ୍ତି । ତେବେ ପରିଶ୍ରମ ଅନୁସାରେ, ରେଜଲ୍ଟ ହୋଇନଥିବାରୁ ମାନସିକ ଭାରସ୍ୟାମ ହରାଇ ସେ ଏଭଳି କରିଥିବା କୁହାଯାଇଛି । ଅନ୍ୟପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ନର୍ସିଂ କଲେଜରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଛାତ୍ରୀ ଅଖିଳା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଏହି ଘଟଣାରେ ଏକ ନୂଆ ମୋଡ ଆସିଛି ।

ମୃତ ଛାତ୍ରୀଙ୍କ ସହଯୋଗୀ ଅଭିଯୋଗ କରିଛନ୍ତି ଯେ, କଲେଜ ଅଧ୍ୟକ୍ଷାଙ୍କ ନିର୍ଯାତନା ସହିନପାରି  ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ସେପଟେ ତାଙ୍କ ବାପା କହୁଛନ୍ତି ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, କଲେଜର ସମସ୍ତ ସିସିଟିଭି ଫୁଟେଜ ରହିଥିବା ବେଳେ ଘଟଣା ଦିନ ରାତି ୧୨ଟାରୁ ତା ପର ଦିନ ସକାଳ ୮ଟା ଯାଏଁ ସିସିଟିଭି ଫୁଟେଜ ନାହିଁ । ଯାହା ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି ।