ସିବିଏସଇ ଦଶମ ଟର୍ମ-୧ ଓଡ଼ିଆ ପରୀକ୍ଷାରେ ଅଜବ ପ୍ରଶ୍ନ ଆଉ ଅଜବ ଉତର: ଭୁଲ ଉତରପତ୍ର ଯୋଗୁଁ ପିଲାଙ୍କ କମିଲା ମାର୍କ

88

କନକ ବ୍ୟୁରୋ: ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷାର ଓଡିଆ ବିଷୟରେ ଏହିଭଳି କିଛି ପ୍ରଶ୍ନପତ୍ର ଏବଂ ଉତ୍ତର ପତ୍ରରେ ତାଳମେଳ ନଥିବା ଦେଖିବାକୁ ମିଳିଛି । ଗୋଟିଏ କିମ୍ବା ଦୁଇଟି ନୁହେଁ ୧୩ଟି ପ୍ରଶ୍ନର ଉତ୍ତର ପତ୍ରସହ ସାମଞ୍ଜସ୍ୟ ନଥିବାବେଳେ ଚାରୋଟି ପ୍ରଶ୍ନରେ ବ୍ୟାକରଣଗତ ତ୍ରୁଟି ରହିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ବହୁ କଷ୍ଟରେ ପ୍ରଶ୍ନଗୁଡିକ ବୁଝି ସଠିକ ଉତ୍ତର ଲେଖିଥିଲେ ମଧ୍ୟ ସେମାନଙ୍କୁ ଉଚିତ ନମ୍ବର ମିଳିନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

ପ୍ରଶ୍ନ : ଜୀବବିଜ୍ଞାନରୁ କଣ ଶିକ୍ଷା ପାଉ ?
ସିବିଏସଇର ଉତ୍ତର – ସଭ୍ୟତା
ସଠିକ୍ ଉତ୍ତର – ଶରୀରର ଗଠନ ପ୍ରକ୍ରିୟା
ପ୍ରଶ୍ନ : ଆମେ ଆମର ଜ୍ଞାନର ସୀମାକୁ କିପରି ବଢାଇ ଥାଉ ?
ସିବିଏସଇର ଉତ୍ତର – ଏକାଧିକ ଡିଗ୍ରୀ ଲାଭକରି
ସଠିକ୍ ଉତ୍ତର – ବିଭିନ୍ନ ଶାସ୍ତ୍ର ଅଧ୍ୟୟନ କରି
ପ୍ରଶ୍ନ : ଭାରତୀୟ ସଭ୍ୟତାର ଆଦର୍ଶ କଣ ?
ସିବିଏସଇର ଉତ୍ତର – ଜ୍ଞାନ
ଠିକ୍ ଉତ୍ତର – ତ୍ୟାଗ ଓ ସଂଜମତା

କରୋନା ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଥିବା ବେଳେ ଏଭଳି ତ୍ରୁଟି ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ଆଗାମୀ ଟର୍ମ ଟୁ ପରୀକ୍ଷା ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏନେଇ ସିବିଏସଇ ଆଂଚଳିକ ଅଧିକାରୀଙ୍କ ନିକଟରେ ଫେରାଦ ହେବାସହ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଗ୍ରେସମାର୍କ ଦେବାକୁ ଦାବି କରିଛନ୍ତି ।

ଏପଟେ ତ୍ରୁଟିକୁ ଗୁରୁତର ଭାବେ ନେଇଛି ସିବିଏସଇ । ଘଟଣାର ତଦନ୍ତ ପାଇଁ ସିବିଏସଇ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି ଏବଂ କମିଟି ରିପୋର୍ଟ ଆଧାରରେ ୨୪ ଘଂଟା ମଧ୍ୟରେ ପଦକ୍ଷେପ ନେବ ସିବିଏସଇ ।