ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ଭଗୱନ୍ତ ମାନ୍ । ଆସନ୍ତା ୧୬ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ।

140

କନକ ବ୍ୟୁରୋ : ସାଂସଦ ପଦରୁ ଇସ୍ତଫା ଦେଲେ ଭଗୱନ୍ତ । ସୋମବାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଛନ୍ତି ଭଗୱନ୍ତ । ସଙ୍ଗରୁର ଆସନରୁ ସାଂସଦ ଥିଲେ ଭଗୱନ୍ତ ।

ପଞ୍ଜାବରେ ଆପର ବିପୁଳ ବିଜୟ ପରେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ । ତେବେ ଏହାପୂର୍ବରୁ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ମାନ୍ । କାରଣ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଭଗୱନ୍ତ ମାନ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଯେହେତୁ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଣୁ ବିଧାନସଭାର ସଦସ୍ୟ ରହିବା ଆବଶ୍ୟକ । ଯେଉଁଥିପାଇଁ ଭଗୱନ୍ତ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।

ତେବେ ସାଂସଦ ପଦରୁ ଇସ୍ତଫା ଦେବା ପୂର୍ବରୁ ଭଗୱନ୍ତ ମାନ୍ କହିଥିଲେ ଯେ, ଲୋକସଭାକୁ ବହୁତ ମିସ୍ କରିବି । କିନ୍ତୁ ପଞ୍ଜାବବାସୀଙ୍କ ସେବା କରିବାକୁ ଯେଉଁ ଗୁରୁଦାୟିତ୍ୱ ମିଳିଛି ତାହାକୁ ସୁଚାରୁରୂପେ ତୁଲାଇବି । ସାଂସଦ ପଦରୁ ଇସ୍ତଫା ଦେବା ପୂର୍ବରୁ ସଙ୍ଗରୁରର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନ୍ । ସଙ୍ଗରୁର୍ ଲୋକେ ମୋତେ ଦୀର୍ଘ ବର୍ଷ ଧରି ଭଲପାଇବା ଦେଇ ଆସିଛନ୍ତି । ଏବେ ଯେହେତୁ ପୂରା ପଞ୍ଜାବବାସୀଙ୍କ ସେବା କରିବାକୁ ସୁଯୋଗ ମିଳିଛି ତେଣୁ ସାଂସଦ ପଦରୁ ଇସ୍ତଫା ଦେବାକୁ ଯାଉଛି । କିନ୍ତୁ ସଙ୍ଗରୁରର ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, କିଛି ମାସ ମଧ୍ୟରେ ହିଁ ପୁଣିଥରେ ଲୋକସଭାରେ ସଙ୍ଗରୁର ଲୋକଙ୍କ ସ୍ୱର ଶୁଭିବ ।

ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ପଞ୍ଜାବ ମୈଦାନକୁ ଓହ୍ଲାଇଥିଲା ଆପ୍ । ଆଉ ଏହି ରଣନୀତି ଆପକୁ ମଧ୍ୟ ବେଶ ସୁହାଇଥିଲା । କେଜ୍ରିୱାଲଙ୍କ ରଣନୀତି ଓ ଭଗୱନ୍ତଙ୍କ ଗୋଟି ଚାଳନାରେ ବଡ ବଡ ଦଳ ପଞ୍ଜାବରେ ଫେଲ ମାରିଥିଲେ । ୯୨ ଆସନରେ ଆପ୍ ବିଜୟୀ ହୋଇଥିବା ବେଳେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ । ସହିଦ ଭଗତ ସିଂଙ୍କ ପୈତୃକ ଗାଁରେ ଏହି ସମାରୋହ ହେବ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଅମୃତସରରେ ରୋଡ ସୋ’ କରିଛନ୍ତି ଉଭୟ କେଜ୍ରିୱାଲ-ଭଗୱନ୍ତ ।

ଏହି ରାଲିରେ ଜନସଭାକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ମୋ ସାନଭାଇ ଭଗୱନ୍ତ ଜଣେ ସଚ୍ଚୋଟ ବ୍ୟକ୍ତି । ପଞ୍ଜାବକୁ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ମିଳିଛନ୍ତି । ଯଦି ଆମ ଦଳର କୌଣସି ମନ୍ତ୍ରୀ ଓ ବିଧାୟକ ଏପଟ ସେପଟ କାମ କରନ୍ତି ତେବେ ତାଙ୍କୁ କେବଳ ବହିଷ୍କାର କରିବୁ ନାହିଁ ବରଂ ଜେଲ ପଠାଇ ଦେବୁ । ପୂର୍ବରୁ ପଞ୍ଜାବକୁ କିଛି ଲୋକ ଲୁଟୁଥିଲେ କିନ୍ତୁ ଏବେ ଏହି ଲୁଟ୍ ବନ୍ଦ ହେବ । ଏବେ ସରକାରୀ ଟଙ୍କା ଗରିବଙ୍କ ପଛରେ ଖର୍ଚ୍ଚ ହେବ, ପଞ୍ଜାବ ପାଇଁ ଖର୍ଚ୍ଚ ହେବ ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ନିର୍ବାଚନ ସମୟରେ ଯେଉ ଁ ସବୁ ଗ୍ୟାରେଣ୍ଟି ଦେଇଥିଲୁ ତାହାକୁ ପୂରା କରିବୁ । କିଛି ପ୍ରତିଶ୍ରୁତି ପୂରଣ କରିବାକୁ ସମୟ ଲାଗିବ, ଆଉ କିଛି ପ୍ରତିଶ୍ରୁତିକୁ କିଛି ଦିନ ମଧ୍ୟରେ ହିଁ ପୂରା କରାଯିବ । ୧୬ ମାର୍ଚ୍ଚରେ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିନ୍ତୁ ସେହିଦିନ କେବଳ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ହେବେନି ବରଂ ପଞ୍ଜାବର ପ୍ରତିଟି କୁନି କୁନି ଶିଶୁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ପଞ୍ଜାବର ସମସ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି କେଜ୍ରିୱାଲ ।