ଭାରତରେ ଉଡିଲା ପାକ୍ ପତାକା : ଶ୍ରୀନଗରରେ ଇଦ୍ ପ୍ରାର୍ଥନା ପରେ ପାକିସ୍ତାନ ଓ ଆଇଏସ୍ ପତାକା ଉଡାଇଲେ ବିଚ୍ଛିନ୍ନତାବାଦୀ

34

କନକ ବ୍ୟୁରୋ : ଇଦରେ ଅଶାନ୍ତ ଜମ୍ମୁକଶ୍ମୀର । ଜମ୍ମୁକଶ୍ମୀର ଶ୍ରୀନଗରରେ ଉଡିଲା ପାକିସ୍ତାନ ପତାକା । ବିଛିନ୍ନତାବାଦୀମାନେ ବିକ୍ଷୋଭବେଳେ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପତାକା ଉଡାଇଛନ୍ତି । ପାକିସ୍ତାନ ଓ ଆଇଏସ ଜିନ୍ଦାବାଦ୍ ନାରା ଦେଇ ବିକ୍ଷୋଭ କରିଛନ୍ତି ବିକ୍ଷୋଭକାରୀ । ଏହା ସହିତ ସୁରକ୍ଷାବଳ ଉପରକୁ ଆଖି ବୁଝା ଢ଼େଲା ପଥର ମାଡ କରିଛନ୍ତି । ଏହାର ଜବାବରେ ସୁରକ୍ଷାବଳ ସେମାନଙ୍କୁ ଘଉଡାଇବା ପାଇଁ ଲୁହ ବୁହା ଗ୍ୟାସ୍ ଓ ରବର ଗୁଳିମାଡ କରିଛି । ବିଛିନ୍ନତାବାଦୀମାନେ ଜମ୍ମୁକଶ୍ମୀରକୁ ଅଖଣ୍ଡ ଭାରତଠାରୁ ଅଲଗା କରି ମ୍ୟାପ ପ୍ରଦର୍ଶନ କରିଛନ୍ତି । ଇଦ୍ ସମୟରେ ଜମ୍ମୁକଶ୍ମୀରରେ ଅସ୍ତ୍ରବିରତି ଘୋଷଣା କରିଥିଲେ କେନ୍ଦ୍ର ସରକାର । ତେବେ ପାକିସ୍ତାନ ସମର୍ଥିତ ବିିଛିନ୍ନତାବାଦୀମାନେ ଦିନକୁ ଦିନ ଘାଟିରେ ଆତଙ୍କ ବଢ଼ାଉଥିବାରୁ ଅସ୍ତ୍ରବିରତି ନେଇ ବିଚାର କରାଯିବ ବୋଲି କହିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂ ।

ଜମ୍ମୁ-କଶ୍ମୀରରେ ଇଦ୍ ପରେ ପୁଣି ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ ଅଲ୍ଆଉଟ୍ ଆରମ୍ଭ ହେବ । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି । ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପୁଣିଥରେ ଅପରେସନ ଅଲଆଉଟ ଆରମ୍ଭ କରି ପାରନ୍ତି ସରକାର । ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଉତ୍ପାତ ବଢ଼ି ଚାଲିଛି । ଆଉ ଏମାନଙ୍କୁ ନିପାତ କରିବାକୁ ପୁଣିଥରେ ଆରମ୍ଭ ହୋଇପାରେ ଅପରେସନ ଅଲଆଉଟ । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଜମ୍ମୁ-କାଶ୍ମୀରରେ ଶାନ୍ତି ଆଣିବା ଉଦ୍ଦେଶ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଚାଲୁଥିବା ଅପରେସନ ଅଲଆଉଟକୁ ଇଦ ପର୍ୟ୍ୟନ୍ତ ବନ୍ଦ କରାଯାଇଥିଲା । କିନ୍ତୁ ଏହାର ଫାଇଦା ଉଠାଇଥିଲେ ଆତଙ୍କବାଦୀ । ଭାରତର ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବାକୁ ପଛାଇନଥିଲେ । ଫଳରେ ଅନେକ ଭାରତୀୟ ଯବାନ ପବିତ୍ର ରମଜାନ ମାସରେ ସହିଦ ହୋଇଥିଲେ ।