ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀରେ ହେବ ପଦଯାତ୍ରା : ୫ହଜାର ଲୋକଙ୍କୁ ନେଇ ସାମିଲ ହେବେ କହିଲେ ସୁର ରାଉତରାୟ

ଏପଟେ ହାଇକୋର୍ଟରେ ଏଏସଆଇର ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର

198

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀରେ ହେବ ପଦଯାତ୍ରା । ଆଗାମୀ ୨୭ରେ ଏହି ପଦଯାତ୍ରା କରିବାକୁ ପ୍ରସ୍ତୁତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଜଗନ୍ନାଥ ପ୍ରେମୀମାନେ ଏକାଠି ହୋଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏଁ ପଦଯାତ୍ରା କରିବେ । ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ବେଆଇନ ଖନନ ଓ ନିର୍ମାଣ କରି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ଏହି ପଦଯାତ୍ରା କରା ଯାଉଛି ।

ଦଳ ମତ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି କଂଗ୍ରେସ ବିଧାୟକ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କଠାରୁ ଆରମ୍ଭ କରି ବିଜେଡିର ନେତା ମନ୍ତ୍ରୀମାନେ ଏଥିରେ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି । ନିଜେ ମଧ୍ୟ ପ୍ରାୟ ୫ ହଜାର ଲୋକଙ୍କୁ ନେଇ ପଦ ଯାତ୍ରାରେ ସାମିଲ ହେବେ ବୋଲି କହିଛନ୍ତି ସୁରେଶ ରାଉତରାୟ । ସେପଟେ ହାଇକୋର୍ଟରେ ଏଏସଆର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ଚୁପ ରହିଥିଲା ଭାରତୀୟ ପ୍ରତ୍ନତତ୍ୱ ବିଭାଗ । ଏପରିକି ତଥ୍ୟ ରଖିବା ପାଇଁ ସମୟ ମାଗିଥିବାରୁ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ନେତା । ବେଆଇନ ଖନନ ନେଇ ଏଏସଆଇ ନିକଟରେ ସବୁ ତଥ୍ୟ ଥାଇ ସୁଦ୍ଧା ହାଇକୋର୍ଟରେ କାହିଁକି ସଂସ୍ଥା ନୀରବ ରହିଲା ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର । ଶ୍ରୀମନ୍ଦିର କ୍ଷେତ୍ରରେ ଏସଏସଆଇର ଅବହେଳାକୁ ସେ ଅକ୍ଷମଣୀୟ ବୋଲି କହିଛନ୍ତି ।