ଭାରତର ଅଭ୍ୟର୍ଥନାରେ ଆତ୍ମହରା ବ୍ରିଟେନ ପ୍ରଧାନମନ୍ତ୍ରୀ : ଗୁଜରାଟରେ ସ୍ୱାଗତ ସମ୍ବର୍ଦ୍ଧନା ବେଳେ କହିଲେ ‘ମୋଦୀ ମୋର ପରମ ମିତ୍ର’

189

କନକ ବ୍ୟୁରୋ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଭାରତରେ ତାଙ୍କୁ ଦିଆଯାଇଥିବା ଆତିଥ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । ଏଭଳି ସ୍ୱାଗତରେ ଅଭିଭୂତ ହୋଇ ଜନସନ୍ ନିଜକୁ ସଚିନ୍ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭୂତ କରିଛନ୍ତି । ଆଜି ଜନସନ୍ ଭାରତ ଗସ୍ତରେ ତାଙ୍କ ଦ୍ୱିତୀୟ ବା ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀସ୍ଥିତ ହାଇଦ୍ରବାଦ ହାଉସରେ ସାକ୍ଷାତ କରିଛନ୍ତି ।

ଏହି ପରୀପ୍ରେକ୍ଷୀରେ ସେ ମୋଦୀଙ୍କୁ ନିଜର ଖାସ୍ ବନ୍ଧୁ ବୋଲି ବିବେଚିତ କରିଛନ୍ତି । ଦୁଇଦେଶ ମଧ୍ୟରେ ଆଲୋଚନା ବେଳେ ବୋରିସ୍ ତାଙ୍କର ଭାରତ ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସେ ପିଏମ୍ ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଗୁଜରାଟରେ ତାଙ୍କର ଯେଉଁଭଳି ସ୍ୱାଗତ ହୋଇଛି, ସେଥିପାଇଁ ସେ ନିଜକୁ କ୍ରିକେଟର ସଚିନ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭୂତ କରିଥିବା କହିଛନ୍ତି । ଜନସନ୍ ଆହୁରି କହିଛନ୍ତି, ବର୍ତ୍ତମାନର ଘଡ଼ିଷନ୍ଧି ସମୟରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ୍ ହୋଇଛି । ଦୁଇ ଦେଶ ମଧ୍ୟରେ ସୁରକ୍ଷା ବୁଝାମଣା ବଢ଼ାଇବା ପାଇଁ ଆଲୋଚନା ହୋଇଛି । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ହୋଇଛି ।

ସେହିପରି ପିଏମ୍ ମୋଦୀ ୟୁକେନର ଯୁଦ୍ଧକୁ ତୁରନ୍ତ ରୋକିବା ଏବଂ ଏହି ସମସ୍ୟାର ସମାଧାନ ଉପରେ ଜୋର୍ ଦେଇଛନ୍ତି । ଏହି ବୈଠକରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟବସାୟିକ ଆଲୋଚନା ମଧ୍ୟ ହୋଇଛି । ପିଏମ୍ ମୋଦୀ କହିଛନ୍ତି ଯେ, ଫ୍ରୀ ଟ୍ରେଡ୍ ଏଗ୍ରିମେଂଟ ବା ଏଫଟିଏ ଉପରେ ଦୁଇ ଦେଶ ଜୋରସୋରରେ କାମ କରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏଫଟିଏ କାର୍ଯ୍ୟକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦୀ ।