ମହାରାଷ୍ଟ୍ର କୃଷକ ଓଡିଶାରୁ ନେଲେ ଏମିତି ଚାରା, ଗୋଟିଏ ଏକର ଜମିରେ ଚାଷ କରି ହୋଇଗଲେ ମାଲାମାଲ

1,776

କନକ ବ୍ୟୁରୋ : ଓଡିଶାରେ ରହିଛି ଏକ ଏମିତି ଏକ ଫଳଗଛ ଯାହାକୁ ବାହାର ରାଜ୍ୟର ଚାଷୀମାନେ ନେଇ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି । ବିଶ୍ୱାସ ନହେଉଥିଲେ ବି କଥାଟା ସତ । ମହାରାଷ୍ଟ୍ର ପୁଣେ ଜିଲ୍ଲା ଇନ୍ଦାପୁର ସ୍ଥିତ ସଫାରବାଡି ଗାଁର କୃଷକ ଲାଲଗେ ଏକ ପରୀକ୍ଷାମୂଳକ ଭାବେ ଧଳା ଜାମୁକୋଳି ଚାଷ କରିଥିଲେ । କହିରଖୁ କି ଧଳା ଜାମୁକୋଳି କେବଳ ଓଡିଶାରେ ଦେଖିବାକୁ ମିଳିଥାଏ । ୨୦୧୯ ମସିହାରେ ଚାଷୀ ଲାଲଗେ ଓଡିଶାରୁ ଧଳା ଜାମୁକୋଳିର ୩୦୦ ଚାରା ନେଇଥିଲେ । ଏହାକୁ ସେ ଗୋଟିଏ ଏକର ଜମିରେ ଲଗାଇଥିଲେ । ୩ ବର୍ଷ ପରେ ଏବେ ସେହି ଧଳା ଜାମୁକୋଳି ଗଛରୁ ଅମଳ ଆରମ୍ଭ ହୋଇଛି ।

ଏବେ ଏହି ଫଳ ମହାରାଷ୍ଟ୍ର ବଜାରରେ କିଲୋପ୍ରତି ୪୫୦ ଟଙ୍କାରେ ବିକ୍ରି ହେଉଛି । ଏହାକୁ ନେଇ ଚାଷୀ ଲାଲଗେ କହିଛନ୍ତି କି ସେ ମୋଟ ୨୩ ଏକର ଜମିରେ ଫଳ ଚାଷ କରୁଛନ୍ତି । ଯେଉଁଥିରେ ସେ ବିଶେଷ ଭାବେ ଅନାର ଓ ଅଙ୍ଗୁର ଫଳ ଚାଷ କରିଥାନ୍ତି । କିନ୍ତୁ ରୋଗ ପୋକ କାରଣରୁ ଏବେ ଏହି ଚାଷରେ ବିଶେଷ ଲାଭ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ସେ ଧଳା ଜାମକୋଳି ଚାଷ କରିବା ଆରମ୍ଭ କରିଛନ୍ତି । ଏନେଇ ସେ ୨୦୧୯ ମସିହାରେ ଓଡିଶାରୁ ୩୦୦ ଟି ଚାରା ନେଇଥିଲେ । ପ୍ରଥମ ଥର ଫଳରୁ ସେ ଅନୁମାନ କରିଛନ୍ତି କି ଅଙ୍ଗୁର ଓ ଅନାର ତୁଳନାରେ ଏହି କୋଳି ଚାଷ ତାଙ୍କୁ ବେଶ ଲାଭ ଦେବ । ଏହାସହ ଏହି ଚାଷରେ ଅଳ୍ପ ପାଇଁ ଓ ସର୍ବନିମ୍ନ ସାର ଓ ଔଷଧ ବ୍ୟବହାର ହେଉଥିବାରୁ ଚାଷୀଙ୍କ ଖର୍ଚ୍ଚ ବି କମ ହେବ ।