ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ନିଜ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ । ସଂସଦ ଭବନକୁ ବି କଲେ କବଜା ।

106

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଦିନକୁ ଦିନ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ସରକାର ବିରୋଧୀ ବିକ୍ଷୋଭକାରୀଙ୍କ ଅରାଜକତା ମଧ୍ୟ ବଢିବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡି ଫେରାର ହୋଇଯାଇଥିବା ଖବର ଆସିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଛି । ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ରାଷ୍ଟ୍ରପତିଙ୍କ ବାସଭବନ ପରେ ଏବେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସଂସଦ ଭବନକୁ ଅକ୍ତିଆର କରିଛନ୍ତି ।

କଲୋମ୍ବୋ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି ବିକ୍ଷୋଭକାରୀ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ଚଢି ଶ୍ରୀଲଙ୍କାର ଜାତୀୟ ପତାକା ଉଡାଇଛନ୍ତି । ସଂସଦ ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରିବାକୁ ଉଗ୍ର ଭିଡ ଯାଉଥିବା ବେଳେ ଅଧ ବାଟରେ ଅଟକାଇଥିଲା ପୁଲିସ । ହେଲେ ସୁରକ୍ଷାକର୍ମୀଙ୍କୁ ଖାତିର କରିନଥିଲେ ଆନ୍ଦୋଳନକାରୀ । ଏପରିକି ଉତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ୧୦-୧୨ ରାଉଣ୍ଡ ଗୁଳି ଚଳାଇଥିଲା । ହେଲେ ଏହା ବିକ୍ଷୋଭକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା । ସମସ୍ତ ସୁର କ୍ଷା ବଳୟକୁ ଭେଦ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସଂସଦ ଭବନକୁ କବଜା କରିଥିଲେ ।

ତେବେ ଏତିକିରେ ଅଟକି ଯାଇନଥିଲା ଶ୍ରୀଲଙ୍କାର ସରକାର ବିରୋଧୀ ଉତ୍ୟକ୍ତ ଜନତାଙ୍କ କାରନାମା । ଦେଶର ସରକାରୀ ଟିଭି ଚ୍ୟାନେଲ କାର୍ଯ୍ୟାଳୟରେ ମଧ୍ୟ ଉଗ୍ର ବିକ୍ଷୋଭକାରୀ ଧଶେଇ ପଶିଥିଲେ । ଏହାପରେ ଜଣେ ଆନ୍ଦୋଳନକାରୀ ଆଙ୍କର ସ୍ଥାନରେ ବସିଯାଇ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଲାଗିଲେ । ଏଭଳି ବିଶୃଙ୍ଖଳା ପରେ ଟିଭି ଚ୍ୟାନେଲର ପ୍ରସାରଣ ବନ୍ଦ କରିବାକୁ ପଡିଥିଲା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଅଧରାତିରେ ମିଲିଟ୍ରି ପ୍ଲେନରେ ମାଳଦ୍ୱୀପ ଫେରାର ହୋଇଯାଇଥିବା କୁହାଯାଉଛି । ସେଠାରୁ ସେ ପରିବାର ସହ ଦୁବାଇ ଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଗୋଟାବାୟା ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ନାହାନ୍ତି । ତେଣୁ ଦୁବାଇ ପହଞ୍ଚିବା ପରେ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ସେପଟେ ରାଷ୍ଟ୍ରପତି ପଦରୁ ଇସ୍ତଫା ନଦେଇ ଦେଶରୁ ଲୁଚି ମାଳଦ୍ୱୀପ ପଳାଇବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରୁଛନ୍ତି ବିକ୍ଷୋଭକାରୀ ।