ପ୍ରକୃତରେ ଶ୍ରୀ ମନ୍ଦିର କିଏ ନିର୍ମାଣ କରିଥିଲେ? ଭୂଷଣ୍ଡକାକ ଓ କୂର୍ମ ହୋଇଥିଲେ ସାକ୍ଷୀ

747

ଆଜିକାଲି ମନ୍ଦିର ଗଢା ସମୟରେ ଅନେକ ବିବାଦ ଓ କୁଟିଳତା ଦେଖିବାକୁ ମିଳୁଛି । ଯେଉଁ ବ୍ୟକ୍ତିଟି ଈଶ୍ୱରଙ୍କ ପ୍ରେରଣାରେ ମନ୍ଦିରଟିଏ ନିର୍ମାଣ କରିବାକୁ ଆପ୍ରାଣ ଉଦ୍ୟମ କରୁଛୁ , ତା ପଛରେ ଲାଗିବାକୁ, ତାକୁ ବଦନାମ କରିବାକୁ ଲୋକଙ୍କର ଅଭାବ ନାହିଁ । ଏ ଘଟଣା କେବଳ ଆଜିକା ଘଟଣା ନୁହେଁ । ଯୁଗ ଯୁଗ ଧରି ଭଲ କାମ କରୁଥିବା ଲୋକଙ୍କୁ ଏପରି ନିନ୍ଦା ,ସମାଲୋଚନା ସମ୍ମୁଖୀନ ହେବାକୁ ପଡେ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କାହାଣୀ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ଜଗନ୍ନାଥ ମନ୍ଦିର ସେ ଯେ ନିର୍ମାଣ କରିଥିଲେ,ଏହାର ପ୍ରମାଣ ମିଳିଲା ନାହିଁ । ଯଦିଓ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ୱୟଂ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ନିଜେ ଇନ୍ଦ୍ରଦ୍ୟୁମ୍ନ ଯାଇଥିଲେ । ଇତିମଧ୍ୟରେ ପୃଥିବୀରେ ଅନେକ ଯୁଗ ବିତିଗଲାଣି । ବାଲି ଭିତରେ ପୋତି ହୋଇଯାଇଥିବା ମନ୍ଦିରକୁ ଗାଲମାଧମ ନାମରେ ଜଣେ ରାଜା ବାଲି ଭିତରୁ ବାହାର କରି ସେଥିରେ ମାଧବ ମୂର୍ତ୍ତି ରଖି ପୂଜା କରୁଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ତୋଳାଇଛନ୍ତି ବୋଲି କହିବାରୁ ସେ ଏଥିରେ ରାଜି ହୋଇନଥିଲେ । ବହ୍ମା ମଧ୍ୟସ୍ଥତା କରି ପ୍ରକୃତ ମନ୍ଦିର କିଏ ନିର୍ମାଣ କରିଥିଲେ ତାହା ଜାଣିବାକୁ ଚେଷ୍ଟା କରିଥିଲେ । ସେତେବେଳକୁ ପୃଥିବୀରେ ରାଜା ଇନ୍ଦ୍ରଦ୍ୟୁମ୍ନ ସପକ୍ଷରେ ସାକ୍ଷୀ ଦେବାକୁ ଆଉ କେହି ନଥିଲେ । ଏହି ସମୟରେ ରାଜାଙ୍କର କଳ୍ପବୃକ୍ଷରେ ବସିଥିବା ଭୂଷଣ୍ଡ କାକ ଉପରେ ନଜର ପଡିଲା । ଇନ୍ଦ୍ରଦ୍ୟୁମ୍ନ କହିଲେ ଏହି ଭୂଷଣ୍ଡ କାକ ହିଁ ମୋର ସାକ୍ଷୀ । ବ୍ରହ୍ମା ଭୂଷଣ୍ଡ କାକକୁ ମନ୍ଦିର ନିର୍ମାଣ ବିଷୟରେ ପଚାରିଲେ । ସେ କହିଲା ଏହାକୁ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଛନ୍ତି ।

କିନ୍ତୁ କାକ ଭଳି ଏକ କ୍ଷୁଦ୍ର ପକ୍ଷୀର ସାକ୍ଷୀରେ ରାଜା ଗାଲମାଧବ ସନ୍ତୁଷ୍ଟ ହେଲେ ନାହିଁ । ତେଣୁ ବ୍ରହ୍ମା ଆଉ କିଏ ସାକ୍ଷୀ ଦେଇପାରିବ ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କୁ ପଚାରିଲେ । ତାପରେ ଇନ୍ଦ୍ରଦ୍ୟୁମ୍ନଙ୍କର ମନ୍ଦିର ତୋଳାଇଥିବା କୂର୍ମମାନଙ୍କ କଥା ମନେ ପଡିଲା । ସେଠାରୁ ସେ ବ୍ରହ୍ମା ଓ ଗାଲମାଧବଙ୍କୁ ନେଇ ପୁଷ୍କରିଣୀ ନିକଟକୁ ଗଲେ । ସେଠାରେ ଥିବା କୂର୍ମମାନେ କହିଲେ ‘ହଁ ଆଜ୍ଞା ଏଇ ରାଜାଙ୍କର ମନ୍ଦିର ତିଆରି କରି ପଥର ବୋହି ବୋହି ମଣିଷ ରୂପରୁ ଆମେ କୂର୍ମ ହୋଇଯାଉଛୁ ’ । ଏଇ ଦୁଇ ସାକ୍ଷୀକୁ ବିଶ୍ୱାସ କରି ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ କ୍ଷେତ୍ରରେ ଶ୍ରୀ ମନ୍ଦିର ନିର୍ମାଣ କରିଥିଲେ ବୋଲି ଗାଲମାଧବଙ୍କୁୁ କହିଥିଲେ ।