ପୋଷା କୁକୁରର ମୃତ୍ୟୁ ପାଇଁ ଆତ୍ମହତ୍ୟା କଲେ ଯୁବକ : ଚର୍ଚ୍ଚାରେ ସୁଇସାଇଡ୍ ନୋଟ୍

40

2ପୁନେ : ପୁନେରେ ଘଟିଛି ଏକ ଅଭାବନୀୟ ଘଟଣା । କନୱର ହର୍ଷବର୍ଦ୍ଧନ ରାଘବ ନାମକ ଜଣେ ୨୨ବର୍ଷୀୟ ମ୍ୟାନେଜମେଂଟ ଛାତ୍ର କରିଛନ୍ତି ଆତ୍ମହତ୍ୟା । ଆତ୍ମହତ୍ୟାର କିଛି ବଡ କାରଣ ନୁହେଁ । କେବଳ ନିଜ ପୋଷା କୁକୁରର ମୃତ୍ୟୁରେ ମର୍ମାହତ ହୋଇ ଏହି ଯୁବକ ଜଣକ କରିଛନ୍ତି ଏଭଳି ଦୁଃଖଦ କାଣ୍ଡ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ଏହି ଖବର ।

ସୂଚନା ଅନୁସାରେ କନୱର ନାମକ ଏହି ଯୁବକ ରଖିଥିଲେ ଏକ କୁକୁର । ନାଁ ଦେଇଥିଲେ ସିସ୍କା । ଯାହାକୁ ଅତି ସ୍ନେହ ଓ ଆଦର କରୁଥିଲେ । ହେଲେ ହଠାତ୍ ଆଠ ମାସ ତଳେ ଏହି ପୋଷା କୁକୁରର ମୃତ୍ୟୁ ହୋଇଯାଇଥିଲା । ଯାହାଦ୍ୱାରା ଖୁବ୍ ଦୁଃଖ ପାଇଥିଲେ ରାଘବ । ଆଉ ସେହି ଦିନଠୁ ମାନସିକ ଅବସାଦରେ ରହୁଥିଲେ । ନିଜ ପୋଷା କୁକୁର ସିସ୍କାର ମୃତ୍ୟୁ ପାଇଁ ସର୍ବଦା ମାସିକ ଅଶାନ୍ତିରେ ରହୁଥିବା ରାଘବ ଗତ ସୋମବାର ରାତିରେ ଜଣେ ସଂପର୍କୀୟଙ୍କ ଛଅ ମହଲା କୋଠାରୁ ଡେଇଁ କରିଥିଲେ ଆତ୍ମହତ୍ୟା । ଘରେ ଛାଡିଯାଇଥିଲେ ଏକ ସୁଇସାଇଡ୍ ନୋଟ୍ । ନିଜ ପ୍ରିୟ ସିସ୍କାର ମୃତ୍ୟୁରେ ଦୁଃଖ ସହ୍ୟନକରିପାରି ଆତ୍ମହତ୍ୟା କରିଛନ୍ତି ବୋଲି ଲେଖିଥିଲେ ।

ରାଘବଙ୍କ ପିତା-ମାତା ରାୟପୁର ,ଛତିଶଗଡରେ ରୁହନ୍ତି । ରାଘବ ଜଣେ ଡିମ୍ଡ ବିଶ୍ୱବିଦ୍ୟାଳୟର ଏମବିଏର ପ୍ରଥମ ବର୍ଷର ଛାତ୍ର । କଲେଜ୍ ହଷ୍ଟେଲରେ ରହୁଥିଲେ । ତାଙ୍କ ବାପା ଜଣେ ସେନା ଅଫିସର ଓ ତାଙ୍କ ଭଉଣୀ ଆର୍ମଡ୍ ଫୋର୍ସ ମେଡିକାଲ କଲେଜର ଜଣେ ଡାକ୍ତର ମଧ୍ୟ । । ନିଜ ପରିବାର ଓ ସଂପର୍କୀୟ ମଧ୍ୟ ଭାରତୀୟ ସେନାର ବଡ ବଡ ପଦବୀରେ ରହିଛନ୍ତି । ଏଭଳି ଏକ ଭଲ ପରିବାରରେ ବଢିଥିବା ରାଘବର ଆତ୍ମହତ୍ୟା ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।