ଦେଶପ୍ରେମ ଜାହିର୍ କଲେ ବର, ବରଯାତ୍ରୀ ଓ କନିଆଁ । ନାଚ-ଗୀତ ବଦଳରେ ହାତରେ ସହିଦଙ୍କ ଫଟୋ, ରୋଶଣୀରେ ବଜାଇଲେ ଦେଶାତ୍ମବୋଧକ ସଂଗୀତ

242

ଜମ୍ମୁ-କାଶ୍ମୀର ଜିଲ୍ଲାର ପୁଲୱାମାରେ ହୋଇଥିବା ବଡ ଧରଣର ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କୁ ସାରା ଦେଶରେ ଅଶ୍ରୁଳ ଶ୍ରଦ୍ଧାଂଜଳୀ ଦିଆଯାଇଛି । କେଉଁଠି କ୍ୟାଣ୍ଡେଲ ମାର୍ଚ୍ଚ ବାହାରିଥିଲା ତ ପୁଣି କେଉଁଠି ୨ ମିନିଟ୍ ପାଇଁ ମଉନ ଧାରଣ କରି ଏହି ବୀର ସହିଦ ଯବାନଙ୍କୁ ସ୍ମରଣ କରାଯାଇଥିଲା । ସେହିପରି ଏକ ବିବାହ ଉତ୍ସବରେ ମଧ୍ୟ ନାଚ ଗୀତ ବଦଳରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳୀ ଦିଆଯିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଛି । ତେବେ ଏହି ବିବାହ ଉତ୍ସବଟି ବଡୋଦରାରେ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଉଭୟ ବର ଏବଂ ବରଯାତ୍ରୀ ମାନେ ବାହାଘର ପ୍ରସେସନରେ ବାହାରି ଥିଲେ ସତ କିନ୍ତୁ ରୋଶଣୀ ନେଇ ନୁହେଁ ବରଂ ସହିଦଙ୍କ ଶ୍ରଦ୍ଧାଂଜଳୀ ଉଦ୍ଦେଶ୍ୟରେ ହାତର ବ୍ୟାନର ଏବଂ ଆଖିରେ ଆଖିଏ ଲୁହ ଭରି ବାହାରି ଥିଲେ ।

ବର ଯାତ୍ରୀମାନେ ବାହାଘର ପ୍ରୋସେସନ ବେଳେ କୌଣସି ଡିଜେ କିମ୍ବା ଧୁମଧଡାକ୍ ମ୍ୟୁଜିକ୍ ନ ବଜାଇ, ଶ୍ରଦ୍ଧାଂଜଳୀ ବ୍ୟାନର ଧରି ପ୍ରସେସନରେ ବାହାରିଥିଲେ । ବଡୋଦରାର ସ୍ୱପ୍ରିଲ କାପାଡିୟାଙ୍କର ବିବାହ ସୁରାଟର ଏଂଜଲିନାଙ୍କ ସହ ବାସଣା ରୋଡ ସ୍ଥିତ ଏଚଏମ ପାର୍ଟି ଫ୍ଲାଟରେ ବିବାହ କାର୍ଯ୍ୟକ୍ରମ ରହିଥିଲା । ମାତ୍ର ତାଙ୍କ ବିବାହର ଠିକ୍ ପୂର୍ବଦିନ ତଥା ଗୁରୁବାର ଦିନ ପୁଲୱାମାରେ ଆତଙ୍କୀ ହଲମା କାରଣରୁ ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ ।

ଏଭଳି ପରିସ୍ଥିତିରେ କାପାଡିଆ ପରିବାର ବିବାହରେ ସହିଦଙ୍କୁ ଶ୍ରଦ୍ଧାଂଜଳୀ ଦେବାକୁ ନିଷ୍ପତି ନେଇଥିଲେ ଏବଂ ବିବାହ ରୋଶଣୀ ପରିବର୍ତ୍ତେ ଶ୍ରଦ୍ଧାଂଜଳୀର ବ୍ୟାନର ସହିତ ବାରାତ୍ ବାହାର କରିଥିଲେ । ପ୍ରସେସନରେ ନାଚିବା ବଦଳରେ ଦେଶଭକ୍ତି ଗୀତ ବଜାଇ ବରଯାତ୍ରୀ ବାହାର କରିଥିଲେ । ଖାଲି ଏତିକି ନୁହେଁ ଉଭୟ ବରଯାତ୍ରୀ ଏବଂ ପରିବାର ପରିଜନମାନେ ଦୁଇ ମିନିଟ୍ କାଳ ନୀରବ ରହି ସହିଦଙ୍କୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ ।