ଭାରତ ଉପଦ୍ୱୀପ ମୁହାଁ ଦକ୍ଷିଣ ପଶ୍ଚିମବାୟୁ : ୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ

495

କନକ ବ୍ୟୁରୋ : ୫ ତାରିଖ ପୂର୍ବରୁ କେରଳ ଛୁଇଁବ ମୌସୁମୀ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଉପଦ୍ୱୀପ ଆଡକୁ ଅଗ୍ରସର ହେଉଛି । ଏବେ ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଳଦ୍ୱୀପ-କୋମାରିନର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହେଉଛି । ତେଣୁ ଆସନ୍ତା ୩ ତିନ ଭିତରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ ହୋଇଛି । ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତିରେ ଜଳୁଛି ପଶ୍ଚିମ ଓଡିଶା । ଗତକାଲି ୪୩.୪ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଏହା ପଛକୁ ୪୨.୬ ଡିଗ୍ରୀ ସହ ଝାରସୁଗୁଡା ରହିଛି ।

ଗୁରୁବାର ଦିନ ରାଜ୍ୟ‌ର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠାରେ ୪୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପଛକୁ ରହିଛି ଝାରସୁଗୁଡ଼ା ସହର । ଏଠାରେ ଦିନ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୬ ଡିଗ୍ରୀ, ସୋନପୁରରେ ୪୨.୪ ଡିଗ୍ରୀ, ବୌଦ୍ଧରେ ୪୨.୨ ଡିଗ୍ରୀ, ରାଉରକେଲାରେ ୪୧.୨ ଡିଗ୍ରୀ, ବରଗଡ଼, ଟିଟିଲାଗଡ଼, ବାରିପଦା ଓ ମାଲକାନଗିରିରେ ୪୧ ଡିଗ୍ରୀ, ଯାଜପୁରରେ ୪୦.୯ ଡିଗ୍ରୀ, ତାଳଚେରରେ ୪୦.୮ ଡିଗ୍ରୀ, ଭବାନୀପାଟଣା ଓ ଅନୁଗୁଳରେ ୪୦.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୨ ଡିଗ୍ରୀ, ନୂଆପଡ଼ାରେ ୪୦.୧ ଡିଗ୍ରି ଓ କେନ୍ଦୁଝରରେ ୪୦ ଡିଗ୍ରୀ ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି । ପଶ୍ଚିମ ଓଡ଼ିଶା ତାତିରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଯୋଗୁଁ ଗୁଳୁଗୁଳି ବଢ଼ିବାରେ ଲାଗିଛି ।