ଶିମିଳିପାଳ ଅଭୟାରଣ୍ୟରେ ପୁଣି ଫୁଟିଲା ଗୁଳି । ଜଙ୍ଗଲ ଭିତରକୁ ଯାଇଥିବାବେଳେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ।

313

କନକ ବ୍ୟୁରୋ: ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଅଭୟାରଣ୍ୟରେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବାଙ୍ଗିରିପୋଷି ଥାନା ତାଳବନ୍ଧ ରେଞ୍ଜରେ ଏହି ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି । ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମୃତ ଜଗନ୍ନାଥଙ୍କ ପରିବାର ଲୋକେ ଏଥିପାଇଁ ବନବିଭାଗକୁ ଦାୟୀ କରିଛନ୍ତି । ବନବିଭାଗର ଗୁଳିରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ତେବେ ବନବିଭାଗ ଏହାକୁ ଖଣ୍ଡନ କରିଛି । ଗତ ମେ ୨୨ ତାରିଖରେ ଜଣେ ଫରେଷ୍ଟ ଗାର୍ଡ ଶିକାରୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିଲେ । ଜଗନ୍ନାଥ ନିଜ ମାଲିକ ସହ ଶିମିଳିପାଳ ଅଭୟାରଣ୍ୟକୁ ମଇଁଷି ଖୋଜିବାକୁ ଯାଇଥିଲେ । ଆଉ ଫେରିବା ସମୟରେ ଶିକାରୀ ଭାବି ବନବିଭାଗ କର୍ମଚାରୀ ଗୁଳି କରିଥିବା ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି, ଅଭୟାରଣ୍ୟ ଭିତରେ ଜଗନ୍ନାଥଙ୍କୁ ଗୁଳି କଲା କିଏ ଓ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ହେବ । ଘଟଣା ପରେ ଗାଁକୁ ନେତାଙ୍କ ସୁଅ ଛୁଟିଛି । ଘଟଣାର ତଦନ୍ତ ନକଲେ ମୟୁରଭଞ୍ଜ ବନ୍ଦ ଡାକରା ପାଇଁ ଚେତାବନୀ ଦେଇଛି ଆଦିବାସୀ ମଞ୍ଚ ।