ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଦେହାନ୍ତ : ଭିଣୋଇଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

4,788

କନକ ବ୍ୟୁରୋ : ପରଲୋକରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜାମାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ସୋନି ମେହେଟାଙ୍କର ଗତକାଲି ଆମେରିକାରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ସୋନି ମେହେଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ନିଜର ଟୁଇଟରରେ ଲେଖିଛନ୍ତି‘ ମୁଁ ମୋର ଭିଣୋଇ ( ଭଉଣୀ ଗୀତା ମେହେଟାଙ୍କ ସ୍ବାମୀ) ସୋନି ମେହେଟାଙ୍କର ପରଲୋକରେ ଗଭୀର ମର୍ମାହତ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ମେହେଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି ।

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ସୋନି ମେହେଟାଙ୍କର ପରଲୋକ ଘଟିଛି  । ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିକେସନର ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ଥିବା ସୋନି ମେହେଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କୁ ବିବାହ କରିଥିଲେ।

ସୋନି ମେହେଟାଙ୍କର ଜନ୍ମ ୧୯୪୨ ମସିହାରେ ହୋଇଥିଲା। ସେ ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ କୂଟନୀତିଜ୍ଞ ୰ ଅମ୍ରିକ୍ ସିଂହ ମେହେଟାଙ୍କ ସୁପୁତ୍ର । ସୋନି ମେହେଟା ‘ଆଲଫ୍ରେଡ୍ ଏ ନଫ୍’ ପତ୍ରିକାର ସଂପାଦକ ଏବଂ ନଫ୍ ଡବଲ୍ ଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ।