ଏମିତି କୁଳାଙ୍ଗର ପୁଅ ଜଗତେ ନାହିଁ ! ସ୍ତ୍ରୀ ହେଲା ଆଗ ମା’ ହେଲା ପର, ମା’କୁ ମାରି କଲା ରକ୍ତାକ୍ତ

1,894

କନକ ବ୍ୟୁରୋ : କିଛି ଦିନ ତଳେ ବରୀ ଅଞ୍ଚଳରେ ଶାଶୂବୋହୂ କଳିକୁ କେନ୍ଦ୍ର କରି ଜଣେ ପୁଅ ତାର ମା’କୁ ଭୁଜାଲିରେ ହାଣି ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ସେହି ଶାଶୂବୋହୂ କଳିକୁ କେନ୍ଦ୍ର କରି ଜଣେ ପୁଅ ନିଜ ମା’କୁ ବାଡ଼େଇ ବାଡ଼େଇ ରକ୍ତାକ୍ତ କରି ଦେଇଛି। ଯାଜପୁର ବରୀ ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ନଳକୂପ ପାଖରେ ପାଣି ଢଳାକୁ କେନ୍ଦ୍ରକରି ହାରାମଣି ମୁଦୁଲି(୬୫) ଓ ତାଙ୍କ ବୋହୂ ମଞ୍ଜୁଲତା ମୁଦୁଲି(୪୦)ଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ବାବନ ମୁଦୁଲି (୪୪) ମା’ ହାରାମଣିଙ୍କୁ ଅତି ନୃସଂଶ ଭାବେ ଏକ ଲୁହା ପାଇପରେ ବାଡେଇ ବାଡ଼େଇ ରକ୍ତାକ୍ତ କରିଦେଇଛି। ହାରାମଣିଙ୍କର ଡାହାଣ ହାତ ଭାଙ୍ଗି ୨ଖଣ୍ତ ହୋଇଯାଇଛି। ସେ ଚେତାଶୂନ୍ୟ ହୋଇଯାଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଫୋନ ପାଇ ବରୀ ଥାନା ଏଏସ୍ଆଇ ଏସ୍ କେ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ବାବନ ଫେରାର୍ ହୋଇଯାଇଛି। ଆହତ ହାରାମଣିଙ୍କୁ ପୁଲିସ୍ ଉଦ୍ଧାରକରି ପ୍ରଥମେ ବରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଥାନାରେ କୌଣସି ମାମଲା ହୋଇ ନଥିବା ଏସ୍ଆଇ ହେମଲତା ଦାସ କହିଛନ୍ତି।