ଅବିଶ୍ୱସନୀୟ ସଫଳତା ହାସଲ କଲେ ଗରିବ ମହିଳା ରାନୁ ମଣ୍ଡଳ ! ଲୋକପ୍ରିୟ ଗାୟକ ହିମେଶ୍ ରେଶମିୟାଙ୍କ ସିନେମାରେ ଗାଇଲେ ଗୀତ ।

6,707

କଥାରେ ଅଛି ଭାଗ୍ୟ ବଦଳିଲେ ମଣିଷ ଜୀବନର ମୋଡ଼ ବଦଳିଯାଏ । ସମୟ ସମୟର କଥା ଆଜ୍ଞା , କେବେ ଏହି ମଣିଷ ସମ୍ଭାନ୍ତରୁ ସାଧାରଣ ହୋଇଯାଏ ତ ଆଉ କେବେ ଅଜ୍ଞାତରୁ ଚର୍ଚ୍ଚିତ ହୋଇଯାଏ । ସ୍ୱପ୍ନ ଏବଂ ଭ୍ରାନ୍ତ ପରି ଲାଗୁଥିଲେ ମଧ୍ୟ ଆଜିର ଡିଜିଟାଲ୍ ଜମାନାରେ ସବୁ ସମ୍ଭବ ହୋଇପାରୁଛି । ଏବେ ଏହି ଘଟଣାକୁ ହିଁ ନିଅନ୍ତୁ । କିଛି ଦିନ ତଳେ ରେଲୱେ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଥିବା ଜଣେ ଗରିବ ମହିଳାଙ୍କ ମଧୁର କଣ୍ଠର ଯାଦୁ ସୋସିଆଲ୍ ମିଡିଆରେ ଘୁରି ବୁଲିବା ପରେ ସେହି ଅଜ୍ଞାତ କୋକିଳକଣ୍ଠୀ ଜଣଙ୍କ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ଏହି ମହିଳାଙ୍କ ଭିତରେ ପ୍ରତିଭା ଥିଲେ ମଧ୍ୟ ପରିସ୍ଥିତି କାରଣରୁ ସେ ଏଭଳି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ମାତ୍ର ଗୋଟିଏ ଭାଇରାଲ୍ ଭିଡିଓ ଯେ ତାଙ୍କ ଜୀବନକୁ ଓଲଟାଇଦେବ ଏହା ସେ ସ୍ୱପ୍ନରେ ବି ଭାବି ନଥିଲେ ।

ଏହି ଭାଇରାଲ୍ ଭିଡିଓ କାରଣରୁ ଲୋକମାନେ ତାଙ୍କୁ “ଅଜ୍ଞାତ କୋକିଳକଣ୍ଠୀ” ର ପରିଚୟ ଦେଲେ । ବଡ ବଡ ସିନେ ପ୍ରଡକ୍ସନ୍ ଏବଂ ରିୟଲିଟି ଶୋ’ରୁ ତାଙ୍କୁ ଗୀତ ଗାଇବା ପାଇଁ ଅଫର୍ ଆସିଲା । ଏମିତି କି ତାଙ୍କ ବେଶପରିପାଟିରେ ଏଭଳି ପରିବର୍ତ୍ତନ ହେଲା ଯେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡିଥିଲା । ହଁ ଆଜ୍ଞା ଆମେ ଏଠାରେ ଭାଇରାଲ୍ ଗରିବ ମହିଳା ରାନୁ ମଣ୍ଡଳଙ୍କ କଥା କହୁଛୁ । ଯେ ଲତା ମଙ୍ଗେସକରଙ୍କ ଗୀତ “ଏକ ପ୍ୟାର୍ କା ନଗମା ହେ …” ଗାଇ ଲୋକପ୍ରିୟ ହୋଇଥିଲେ । ବର୍ତ୍ତମାନ ତାଙ୍କ ଜୀବନରେ ଅବିଶ୍ୱସନୀୟ ପରିବର୍ତ୍ତନ ହୋଇଛି । ବଲିଉଡ୍ ଜଗତର ଆଗଧାଡିର ଗାୟକ ହିମେଶ୍ ରେଶମିୟାଙ୍କ ନୂଆ ସିନେମା “ହାପି ହାର୍ଡି ଆଣ୍ଡ୍ ହିର୍ “ରେ ତାଙ୍କ ଗାୟିକି ଶୁଣିବାକୁ ମିଳିବ । ସେ ଲୋକପ୍ରିୟ ରିୟଲିଟି ଶୋ’ ସୁପରଷ୍ଟାର ସିଙ୍ଗର୍ ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

ଏନେଇ ଗାୟକ ହିମେଶ୍ ରେଶମିୟା କୁହନ୍ତି , ମୋତେ ରାନୁ ଜୀଙ୍କ ସହ ମିଶି ଏଭଳି ଲାଗିଲା ଯେ ଇଶ୍ୱରଙ୍କ କୃପା ତାଙ୍କ ଉପରେ ରହିଛି । ତାଙ୍କ ସୁମଧୁର ସ୍ୱରର ତରଙ୍ଗକୁ ଆଗକୁ ନେବା ପାଇଁ ମୋତେ ଯାହା କରିବାକୁ ପଡିବ ମୁଁ କରିବା ପାଇଁ ଚେଷ୍ଟା କରିବି । ହିମେଶ୍ ଙ୍କ ଆଗାମୀ ସିନେମାରେ ରାନୁ “ତେରୀ ମେରୀ କାହାନୀ” ନାମକ ଏକ ଗୀତ ଗାଇବାକୁ ଯାଉଛନ୍ତି । ଯାହାର ଏକ ଭିଡିଓ ହିମେଶ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ସେୟାର୍ କରିଛନ୍ତି । କେବଳ ଏତିକି ନୁହଁ ରାନୁ ୧୦ ବର୍ଷ ପରେ ନିଜ ଝିଅ ସହ ମଧ୍ୟ ମିଶିଛନ୍ତି । ଗୋଟିଏ ଭାଇରାଲ୍ ଭିଡିଓ ମା’ଝିଅଙ୍କୁ ପୁଣି ନିକଟତର କରାଇଦେଇଛି । ଦ୍ୱିତୀୟ ଜୀବନ ପାଇଥିବା ରାନୁଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କମ୍ ନୁହେଁ ।