ଧୋନୀଙ୍କୁ ଦେଖି ଟ୍ରେନିଂ ନେଉଛନ୍ତି ଓଡିଆ ପୁଅ । ସୁପର କିଙ୍ଗସରେ ଗର୍ଜିବାକୁ ପ୍ରସ୍ତୁତ ଶୁଭ୍ରାଂଶୁ ସେନାପତି । ଦେଖନ୍ତୁ, ଭିଡିଓ…

433

କନକ ବ୍ୟୁରୋ:  ସତ ହେବାକୁ ଯାଉଛି ସ୍ୱପ୍ନ । ସୁପରକିଙ୍ଗସରେ ଗର୍ଜିବେ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ମାହି ନେତୃତ୍ୱରେ ମୈଦାନକୁ ଓହ୍ଲାଇବେ ଓଡିଆ କ୍ରିକେଟର । ଆଇପିଏଲର ଆଗାମୀ ସିଜିନକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ, ଏବେ ସିଏସକେ ଟିମରେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଚେନ୍ନାଇ ସୁପର କିଙ୍ଗସ୍ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଶୁଭ୍ରାଂଶୁଙ୍କ ଏକ ଭିଡିଓ ସେଆର୍ କରି ସେ ସୁପର କିଙ୍ଗସରେ ଗର୍ଜିବାକୁ ପ୍ରସ୍ତୁତ ବୋଲି ଲେଖିଛି ।

ଏହି ଭିଡିଓରେ ଚେନ୍ନାଇ ସୁପର କିଙ୍ଗସ୍ ଦଳର ଅଭ୍ୟାସ ସମୟର କିଛି ଦୃଶ୍ୟକୁ ଦେଖାଯାଇଛି । ଯେଉଁଥିରେ ପ୍ରଥମେ ଶୁଭ୍ରାଂଶୁ ନିଜର ପରିଚୟ ଦେବା ସହିତ, ନିଜକୁ ଜଣେ ଓଡିଆ କ୍ରିକେଟର ବୋଲି ପରିଚିତ କରୁଛନ୍ତି । ବାସ୍ , ଏହାପରେ ମାହିଙ୍କୁ ଦେଖି ସେ ତାଙ୍କର ଅଭ୍ୟାସ କେମିତି ଚଳାଇଛନ୍ତି ତାହା ସେହି ଭିଡିଓରେ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଧୋନୀ ନେଟସରେ ଅଭ୍ୟାସ କରୁଥିବାବେଳେ, ଶୁଭ୍ରାଂଶୁ ତାଙ୍କୁ ପଛରେ ରହି କେମିତି ଅନୁଶୀଳନ କରୁଛନ୍ତି ତାହା ମଧ୍ୟ ସେହି ଭିଡିଓରେ ଦେଖିବାକୁ ମିଳୁଛି ।

ଏଥର ଆଇପିଏଲ୍ ଖେଳାଳି ନିଲାମରେ ଓଡିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ କିଣିଥିଲା ମାହିଙ୍କ ନେତୃତ୍ୱାଧୀନ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ । ସିଏସକେ ଟିମରେ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିବା ପରେ ସବୁଆଡୁ ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଓଡିଶା କ୍ରିକେଟ୍ ଆସୋସିଏସନ୍ ମଧ୍ୟ ଶୁଭ୍ରାଂଶୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲା ।

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଆଉ ଚାରି ଥର ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗସ ଏଥର ପୁଣିଥରେ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି । ଦଳରେ ଏକାଧିକ ଯୁବ ଖେଳାଳି ରହିଥିବାବେଳେ, ଅଭିଜ୍ଞ ଖେଳାଳିଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଅନ୍ୟପଟେ ଏଥର ଚୂଡାନ୍ତ ଏକାଦଶରେ ଶୁଭ୍ରାଂଶୁ ସେନାପତିଙ୍କୁ ସୁଯୋଗ ମିଳିବା ଆଶା ମଧ୍ୟ ଅଧିକ ଅଛି ।