ବିଧିବଦ୍ଧ ତାଲିମ ନପାଇ ମଧ୍ୟ ହାତରେ ରହିଛି ଯାଦୁ ! ବାଲିରେ ସୁନ୍ଦର କଳାକୃତି ଗଢ଼ୁଛନ୍ତି ଏରସମାର ପାର୍ଥସାରଥୀ

60

କନକ ବ୍ୟୁରୋ : କୌଣସି ଟ୍ରେନିଂ ନାହିଁ, କିନ୍ତୁ ହାତରେ ରହିଛି ଯାଦୁ । ବାଲିରେ ଗଢୁଛନ୍ତି ସୁନ୍ଦର କଳାକୃତି । ଏକଲବ୍ୟ ଭଳି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ଦେଖି ଦେଖି ବାଲୁକା ଶିଳ୍ପୀ ପାଲଟିଛନ୍ତି ଏରସମାର ପାର୍ଥସାରଥୀ । ତାଙ୍କର ବାଲୁକା କଳା ଏବେ ଦେଶ ବିଦେଶରେ ପ୍ରଶଂସିତ ହେଉଛି । ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ସେ ପାଇଛନ୍ତି ପ୍ରଶଂସାପତ୍ର । ପରିବାରର ଆର୍ଥିକ ଅନଟନ ସତ୍ୱେ ସମର୍ଥନ ଦେଇ ଆସିଛନ୍ତି ପାର୍ଥସାରଥୀଙ୍କ ବାପା । ତେବେ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ଆଉ ଜଣେ ବାଲୁକାଶିଳ୍ପୀ ଓଡ଼ିଶା ପାଇଁ ଆଣିପାରନ୍ତେ ଗୌରବ ।

ବାଲିରେ ଗଣେଶ, ଶଙ୍କରାଚାର୍ଯ୍ୟ, ଚତୁର୍ଦ୍ଧାମୂର୍ତ୍ତି । ଗୌତମ ବୁଦ୍ଧ ଓ ଧଉଳିଗିରି କାରୁକାର୍ଯ୍ୟର ଅବିକଳ ବାଲୁକା କଳା । ବାଲିର ସୁନ୍ଦର କଳାକୃତି କୌଣସି ଖ୍ୟାତନାମା ବାଲୁକା ଶିଳ୍ପୀଙ୍କର ନୁହେଁ, ଏହା ହେଉଛି ଏରସମା ବ୍ଳକର ବାଲିତୁଠ ଗାଁର ଯୁକ୍ତ ଦୁଇ ଛାତ୍ର ପାର୍ଥସାରଥୀ ଜେନାଙ୍କ ହାତର ଯାଦୁଗରୀ । କୌଣସି ବିଧିବଦ୍ଧ ତାଲିମ ପାଇ ନଥିଲେ ମଧ୍ୟ ବାଲୁକା କଳାରେ ଦେଖାଇଛନ୍ତି ପାରଦର୍ଶୀତା । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ଦେଖି ଦେଖି ଏକଲବ୍ୟ ପାଲଟିଛନ୍ତି ପାର୍ଥସାରଥୀ ।

ବାଲୁକା କଳା ଏବେ ପାର୍ଥସାରଥୀଙ୍କ ପରିଚୟ ପାଲଟିଛି । ବାଲୁକା କଳା ପାଇଁ ୨୦୧୬ରେ ତତ୍କାଳୀନ ରାଷ୍ଟପତି ପ୍ରଣବ ମୁଖାର୍ଜୀ ଓ ୨୦୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ପାର୍ଥସାରଥୀ । କେବଳ ସେତିକି ନୁହେଁ ଗତବର୍ଷ ଚନ୍ଦ୍ରଭାଗା ସମୂଦ୍ର କୂଳରେ ଆୟୋଜିତ ଆର୍ନ୍ତଜାତୀୟ ବାଲୁକା କଳା ଓ କୋଣାର୍କ ଫେଷ୍ଟିଭାଲରେ ସେ ଭାଗ ନେଇଥିଲେ । ସ୍କୁଲ ସମୟରୁ ଚିତ୍ରକଳା ପ୍ରତି ରୁଚି ରଖିଥିବା ପାର୍ଥ, ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ପ୍ରଭାବିତ ହୋଇ ଏହି କଳାକୁ ଆପଣେଇ ଥିଲେ । ଆର୍ଥିକ ଅନଟନ ସତ୍ୱେ ତାଙ୍କୁ ସମର୍ଥନ ଯୋଗାଇ ଆସିଛନ୍ତି ତାଙ୍କ ବାପା । ବାଲୁକା କଳାରେ ଆହୁରି ଆଗକୁ ବଢିବା ପାଇଁ ସ୍ୱପ୍ନ ଦେଖୁଛନ୍ତି ପାର୍ଥ । କିନ୍ତୁ ତାଙ୍କ ପଥରେ ଅର୍ଥ ସାଜିଛି  ବାଧକ । ପ୍ରୋତ୍ସାହନ ମିଳିଲେ ଆଉ ଜଣେ ବାଲୁକାଶିଳ୍ପୀ ଓଡ଼ିଶା ପାଇଁ ଆଣିପାରନ୍ତା ଗୌରବ ।