ପରାଜୟ ପରେ କାରଣ ଖୋଜା ବଦଳରେ କଂଗ୍ରେସରେ ଗୋଷ୍ଠୀକନ୍ଦଳ : ବୈଠକରେ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥକଙ୍କୁ ମାଡ଼

245

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି କଂଗ୍ରେସ । କେବଳ ସାରା ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ସବୁଠାରୁ ପୁରୁଣା ଦଳ ନିରାଶାଜନକ ପ୍ରଦର୍ଶନ କରିଛି । ସମ୍ବଲପୁରରେ ମଧ୍ୟ କଂଗ୍ରେସର ସମାନ ସ୍ଥିତି । ପରାଜୟ ପରେ ଏବେ ରାଜ୍ୟରେ ଘନ ଘନ ବୈଠକ ଚାଲିଛି । ପରାଜୟ ପଛର କାରଣ ଖୋଜୁଛି କଂଗ୍ରେସ । ତେବେ ସଂଗଠନକୁ ମଜଭୁତ କରିବା ପରିବର୍ତ୍ତେ ଦଳରେ ପୁଣି କନ୍ଦଳ ସୃଷ୍ଟି ହୋଇଛି । ପରାଜୟ ପରେ ବି ସୁଧୁରନି କଂଗ୍ରେସ । ସମ୍ବଲପୁରରେ କଂଗ୍ରେସର ପରାଜୟ ପାଇଁ ଆସିଥିବା ଫ୍ୟାକ୍ଟ ଫାଇଣ୍ଟିଂ ଟିମ ସମ୍ମୁଖରେ ହାତହାତି ହୋଇଛି ଦୁଇ ଗୋଷ୍ଠୀ । କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥକଙ୍କୁ ଅନ୍ୟ କିଛି ଦଳୀୟ ପ୍ରାର୍ଥୀ ମାଡ଼ ମାରିଛନ୍ତି । କେବଳ ଏତିକି ନୁହେଁ ବୈଠକରେ ଦୁଇ ଜଣ ମହିଳା ନେତ୍ରୀଙ୍କ ମଧ୍ୟରେ ବାକବିତଣ୍ଡା ଓ ହାତାହାତି ହୋଇଥିଲା ।

ସମ୍ବଲପୁରରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ । ପରାଜୟର ସମୀକ୍ଷା ପାଇଁ ଆସିଛନ୍ତି ଫ୍ୟାକ୍ଟ ଫାଇଣ୍ଟିଂ ଟିମ୍ । ହେଲେ ଦଳ କଥା ଚିନ୍ତା ନକରି ନିଜ ନିଜ ଭିତରେ ମାଡ଼ଗୋଳ ସୃଷ୍ଟି କରିଛନ୍ତି କଂଗ୍ରେସର ଦୁଇ ଗୋଷ୍ଠୀ । ସମ୍ବଲପୁର କଂଗ୍ରେସ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥକଙ୍କୁ ଅନ୍ୟ କିଛି ଦଳୀୟ ପ୍ରାର୍ଥୀ ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ମାରିଛନ୍ତି । କଂଗ୍ରେସ କାର୍ଯ୍ୟାଳୟରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ମାରପିଟ୍ ଘଟଣା । ଖୋଦ୍ ଜିଲ୍ଲା ସଭାପତି ମଧ୍ୟ ପାଇଁ ବୁଝାଇ ବୁଝାଇ ଥକିଯାଇଥିଲେ । ହେଲେ ସମାଧାନ ହୋଇପାରିଲାନି ସମସ୍ୟା । କ୍ଷଣିକ ପାଇଁ ମାରପିଟ୍ ହୋଇଥିଲେ ମଧ୍ୟ ବୈଠକ ଶେଷ ହେବାଯାଏଁ ପରିସ୍ଥିତି ଉତ୍ତେନାମୂଳକ ରହିଥିଲା । ପରିସ୍ଥିତି ଏପରି ହେବାରୁ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ।

ରାଜ୍ୟରେ କଂଗ୍ରେସ ପରାଜୟ କାରଣ ଖୋଜିବା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି । ପୂର୍ବତନ ବିଧାୟକ ଜର୍ଜ ତିର୍କି ଏବଂ ପିସିସି ସାଧାରଣ ସମ୍ପାଦକ ଜ୍ଞାନ ବେଉରାଙ୍କୁ ନେଇ ଗଠିତ ଟିମକୁ ଅନୁଗୁଳ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ଦେବଗଡ଼ ଦାୟିତ୍ବ ଦିଆଯାଇଛି । ବୁଧବାର ଏହି ଟିମ ସମ୍ବଲପୁର ଯାଇଥିଲା । ଏହି ଅବସରରେ ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲ ଏବଂ ରେଙ୍ଗାଲି ବିଧାନସଭା ପ୍ରାର୍ଥୀଙ୍କ ସମେତ ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କୁ ଡକାଯାଇଥିଲା । ତେବେ କେବଳ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଡା. ପୂଜାହାରୀ ଏବଂ ରେଂଗାଲି ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ ଉପସ୍ଥିତ ହୋଇଥିଲେ । ବୈଠକରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀଙ୍କ ପରାଜୟ ନେଇ ସମୀକ୍ଷା ହୋଇଥିଲା ।

ନିର୍ବାଚନ ସମୟରେ କଂଗ୍ରେସ ଅଶ୍ବିନୀ ପୂଜାହାରୀଙ୍କୁ ଟଙ୍କାଟିଏ ମଧ୍ୟ ଦେଇ ନଥିବା ନେଇ ମନ୍ତବ୍ୟର ପ୍ରତିବାଦ କରିଥିଲେ ବୁର୍ଲା କଂଗ୍ରେସ ସଭାପତି ଶିବ ପ୍ରଧାନ। ଏପରିକି ଦଳ ଦେଇଥିବା ଟଙ୍କା ସେ କେଉଁଠାରେ ଖର୍ଚ କଲେ ଏହା ମଧ୍ୟ ସ୍ପଷ୍ଟ ନୁହେଁ । ନିର୍ବାଚନର କିଛି ଦିନ ପୂର୍ବରୁ ଟିକଟ ନେଇ ଆସିଲେ, କିନ୍ତୁ ଜିଲ୍ଲା କଂଗ୍ରେସଠାରୁ ବ୍ଲକ କଂଗ୍ରେସ କର୍ମୀ କାହା ସହିତ ମଧ୍ୟ ଯୋଗାଯୋଗ ରକ୍ଷା କଲେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ଆଉ ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ଅଶ୍ବିନୀ ପୂଜାହାରୀଙ୍କ ସମର୍ଥକ କୁହାଯାଉଥିବା ଏହାକୁ ବିରୋଧ କରିଥିଲେ। ପ୍ରଥମ କରି ନିର୍ବାଚନ ଲଢ଼ିଥିବା ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସହଯୋଗ ମିଳି ନଥିଲା କି ତାଙ୍କ ପ୍ରଚାର ପାଇଁ କେହି ଆଗେଇ ଆସି ନଥିଲେ ବୋଲି ପାଲଟା ଅଭିଯୋଗ କରିଥିଲେ । ବଚସା ବଢ଼ିବା ପରେ ଶିବ ପ୍ରଧାନଙ୍କ ସମେତ କିଛି କର୍ମୀ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଏହାପରେ ଅଶ୍ବିନୀ ପୂଜାହାରୀଙ୍କ ସମର୍ଥକ ଙ୍କୁ ମାରପିଟ କରା ଯାଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଡା. ପୂଜାହାରୀ ଅଧାରୁ ବୈଠକ ଛାଡ଼ି ଚାଲି ଯାଇଥିଲେ ।