ଜୈବିକ ଅସ୍ତ୍ର ନେଇ ରୁଷିଆର ବଡ ଅଭିଯୋଗ । ଆମେରିକା ସହଯୋଗରେ ୟୁକ୍ରେନ ଲ୍ୟାବରେ ପ୍ରସ୍ତୁତ ହେଉଛି ଜୈବିକ ଅସ୍ତ୍ର

149

କନକ ବ୍ୟୁରୋ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ରୁଷ । ମାରିୟୁପୋଲ ସହରରେ ଥିବା ଏକ ମସଜିଦ୍ ଉପରେ ରୁଷ ସେନା ରକେଟ ମାଡ କରିଛି । ଯାହା ଫଳରେ ୮୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରୁଷର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାଶ୍ଚାତ୍ୟଦେଶ ରୁଷିଆ ବିରୋଧରେ ନୂଆ ନୂଆ ପ୍ରତିବନ୍ଧକ ଲଗାଉଛନ୍ତି । ସେପଟେ ଆମେରିକା ବିରୋଧରେ ବଡ ଅଭିଯୋଗ ଆଣିଛି ରୁଷ । ରୁଷ ବିରୁଦ୍ଧରେ ଜୈବିକ ଅସ୍ତ୍ର ପ୍ରୟୋଗ କରିବା ପାଇଁ ୟୁକ୍ରେନକୁ ଆମେରିକା ସହଯୋଗ କରୁଥିବା ରୁଷ ଦାବି କରିଛି ।

ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ସ୍ଥିତି ନେବାରେ ଲାଗିଛି । ରୁଷିଆ ସେନା ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ୱଂସ ସ୍ତୂପ ପାଲଟିବାରେ ଲାଗିଛି । ରାଜଧାନୀ କିଭରୁ ଆରମ୍ଭ କରି ଖାରକିଭ, ମାରିୟୁପୋଲ, ସୁମି, ମାଇକୋଲାଇବ ଆଦି ସହରରେ ଧ୍ୱଂସଲୀଳା ରଚି ଚାଲିଛି ରୁଷ ସେନା । ମାରିୟୁପୋଲରେ ଏକ ମସଜିଦ୍ ଉପରେ ରୁଷ ସେନା କରିଥିବା ଏକ ଏୟାରଷ୍ଟ୍ରାଇକ୍ରେ ୮୦ ଜଣ ସାଧାରଣ ନାଗରୀକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୁଷର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାଶ୍ଚାତ୍ୟଦେଶ ରୁଷିଆ ବିରୋଧରେ ନୂଆ ନୂଆ ପ୍ରତିବନ୍ଧକ ଲଗାଉଛନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ରୁଷିଆକୁ ଏକ ଘରିକିଆ କରିଦେଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର । ଏଭଳି ପରିସ୍ଥିତିରେ ଆମେରିକା ବିରୋଧରେ ବଡ ଅଭିଯୋଗ ଆଣିଛି ମସ୍କୋ ।

ୟୁକ୍ରେନ – ରୁଷିଆ ଯୁଦ୍ଧରେ ଜୈବିକ ଅସ୍ତ୍ର ପ୍ରୟୋଗ ପାଇଁ ୟୁକ୍ରେନ ପୂର୍ବରୁ ପ୍ରସ୍ତୁତ ହେଉଥିବା ଅଭିଯୋଗ କରିଛି କ୍ରେମଲିନ୍ । ଆଉ ଏଥିରେ ୟୁକ୍ରେନକୁ ଆମେରିକା ସହଯୋଗ କରୁଥିବା କୁହାଯାଇଛି । ରୁଷିଆ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜାକରୋଭା ଆମେରିକା ଓ ୟୁକ୍ରେନ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ରୁଷିଆର ଏଭଳି ଅଭିଯୋଗକୁ ଚୀନ ମଧ୍ୟ ସମର୍ଥନ କରିଛି । ଚୀନ ବୈଦେଶିକ ମନ୍ତ୍ରାଳୟ କହିଛି ଜୈବ ଅସ୍ତ୍ର ପ୍ରସ୍ତୁତ କରିବା ପାଇଁ ୟୁକ୍ରେନକୁ ପାଣ୍ଠି ଯୋଗାଉଥିଲା ଆମେରିକା । ତେବେ କରୋନା ଭୂତାଣୁ ପାଇଁ ଆମେରିକା ବାରମ୍ବାର ଚୀନକୁ ଦୋଷାରୋପ କରୁଥିବାରୁ ଚୀନ ମଧ୍ୟ ସେହିପରି ଅଭିଯୋଗ ଆମେରିକା ବିରୋଧରେ କରିଛି ।

ସେପଟେ ରୁଷର ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରୁଷ ପ୍ରତିନିଧି ପୁଣିଥରେ ଆମେରିକା ବିରୋଧରେ ଜୈବ ଅସ୍ତ୍ର ନେଇ ଅଭିଯୋଗ କରିବା ସହ ତାଙ୍କ ପାଖରେ ଥିବା ପ୍ରମାଣ ମଧ୍ୟ ଉପସ୍ଥାପିତ କରିଥିଲା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଇଡେନ୍ ପ୍ରଶାସନ । ଆମେରିକା ସେଭଳି କିଛି ପଦକ୍ଷେପ ନେଇ ନଥିବା ବୈଠକରେ କୁହାଯାଇଛି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ମଧ୍ୟ ରୁଷିଆର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମାନବ ଜାତି ଧ୍ୱଂସ ପାଇଁ ୟୁକ୍ରେନ କୌଣସି ବି ଅସ୍ତ୍ର ପ୍ରସ୍ତୁତ କରୁନି । ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ବିରୋଧରେ ଏହା ରୁଷର ଏକ ମିଥ୍ୟା ଅଭିଯୋଗ ।

ତେବେ ବାଓଲଜିକାଲ ୱିପନ୍ ବା ଜୈବିକ ଅସ୍ତ୍ର । ଏହାକୁ ଜୀବାଣୁ ଅସ୍ତ୍ର ମଧ୍ୟ କୁହାଯାଏ । ଏଥିରେ ଭୂତାଣୁ ଜରିଆରେ ମାନବ ସମାଜରେ ମହାମାରୀ ସୃଷ୍ଟି କରାଯାଏ । ବଡ ବଡ ଅଗ୍ରଣୀ ଦେଶରେ ବିଭିନ୍ନ ଲ୍ୟାବରୋଟୋରୀରେ ବୈଜ୍ଞାନିକମାନେ ଜୈବିକ ଅସ୍ତ୍ର ଉପରେ ଅନୁସନ୍ଧାନ କରୁଥିବା ଅନେକ ରିପୋର୍ଟ ସାମ୍ନାକୁ ଆସିଛି । କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିବା ପରେ ଏହାକୁ ନେଇ ଚୀନକୁ ମଧ୍ୟ ଆମେରିକା ସମେତ ଅନେକ ଦେଶ ଦାୟୀ କରିଛି । ଚୀନର ଉହାନ ସହରରେ ଥିବା ଲ୍ୟାବରେ କରୋନା ଭୂତାଣୁକୁ ମଣିଷ ଦ୍ୱାରା ବିକଶୀତ କରାଯାଇଥିବା କୁହାଯାଉଛି । କରୋନା ଭୂତାଣୁକୁ ଆମେରିକା ଏକ ଜୈବିକ ଅସ୍ତ୍ର ବୋଲି ମନେ କରୁଛି । ତେବେ କଣ ୟୁକ୍ରେନ – ରୁଷ ଯୁଦ୍ଧରେ ଏହି ଜୈବିକ ଅସ୍ତ୍ର ପ୍ରୟୋଗ ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା । ରୁଷିଆର ଅଭିଯୋଗ ସତ ନା ମିଛ, ଆମେରିକାର ଆଭିମୁଖ୍ୟ କଣ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।