ରସେଲଙ୍କ ନୂଆ ରେକର୍ଡ । ଆଇପିଏଲରେ ପ୍ରଥମ ଖେଳାଳୀ ଭାବେ ରଚିଲେ ନୂଆ ଇତିହାସ, ଜାଣନ୍ତୁ କଣ ସେହି ରେକର୍ଡ?

276

କନକ ବ୍ୟୁରୋ : ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନିଜର ୬ଷ୍ଠ ବିଜୟ ହାସଲ କରିଛି । ଏହାସହ ପ୍ଲେ-ଅଫ ଖେଳିବା ଆଶା କୋଲକାତାର ଏଯାବତ ଉଜ୍ଜିବୀତ ରହିଛି । ତେବେ ଏହି ମ୍ୟାଚରେ ବିଧ୍ୱଂସୀ ଇନିଂସ ଖେଳିବା ସହ ନୂଆ ରେକର୍ଡ ହାସଲ କରିଛନ୍ତି ରସେଲ । ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଆଇପିଏଲରେ ଏକ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ରସେଲ । ଆଇପିଏଲ ଇତିହାସରେ ରସେଲ ଏକମାତ୍ର ଖେଳାଳୀ ସାଜିଛନ୍ତି ଯିଏ ୪ଟି ଆଇପିଏଲ ସିଜିନରେ ୨୫୦ରୁ ଅଧିକ ରନ୍ ସହ ୧୦ରୁ ଅଧିକ ୱିକେଟ ହାସଲ କରିଛନ୍ତି । ରସେଲଙ୍କ ପୂର୍ବରୁ ଜ୍ୟାକ କ୍ୟାଲିସ ମଧ୍ୟ ୩ଥର ୨୫୦ରୁ ଅଧିକ ରନ୍ ଓ ୧୦ରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି ।

ଜ୍ୟାକ କ୍ୟାଲିସଙ୍କ ବ୍ୟତୀତ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୨ଟି ସିଜିନରେ ଏଭଳି ରେକର୍ଡ କରିବାରେ ସଫଳ ହୋଇଛନ୍ତି । ରସେଲ ୨୦୨୨ ଆଇପିଏଲରେ ୩୩୦ ରନ୍ ସହ ୧୭ଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି ।ଏହାପୂର୍ବରୁ ୨୦୧୯ ସିଜିନରେ ୫୧୦ ରନ୍ ସହ ୧୧ଟି ୱିକେଟ, ୨୦୧୮ରେ ୩୧୬ ରନ୍ ସହ ୧୩ ୱିକେଟ, ୨୦୧୫ ସିଜିନରେ ୩୨୬ ରନ୍ ସହ ୧୪ଟି ୱିକେଟ ହାସଲ କରିଥିଲେ ।

ଏହାଛଡା କେକେଆର ପକ୍ଷରୁ ଦ୍ରୁତ ୨ ହଜାର ରନ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ରସେଲ । ମାତ୍ର ୧୧୨୯ଟି ବଲରୁ ୨୦୦୦ ରନ୍ କରିବାରେ ରସେଲ ସଫଳ ହୋଇଛନ୍ତି । ଏହାପୂର୍ବରୁ କେକେଆର ପାଇଁ ଗୌତମ ଗମ୍ଭୀର, ରବିନ ଉଥପ୍ପା ଓ ୟୁସୁଫ୍ ପଠାନ ୨ ହଜାରରୁ ଅଧିକ ସ୍କୋର କରିଛନ୍ତି ।