ଠକଙ୍କୁ ସମ୍ମାନ ! ଜମି ଜାଲିଆତିରେ ଜେଲ୍ ଯାଇଥିବା ତିରୁପତି ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା

25

କନକ ବ୍ୟୁରୋ : କୋଟି କୋଟି ଟଙ୍କାର ଜମି ଜାଲିଆତିରେ ଜେଲ୍ ଯାଇଥିବା ତିରୁପତି ପାଣିଗ୍ରାହୀଙ୍କୁ ସମ୍ମାନ । ଆଧୁନିକ ଓଡିଶାର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଜନ୍ମ ଜୟନ୍ତୀରେ ସମ୍ମାନିତ କଲା ରାଉରକେଲା ପୂଜ୍ୟପୂଜା ସମିତି । ପ୍ଲଟ୍ ଓ ଫ୍ଲାଟ୍ ଯୋଗାଇଦେବାକୁ କହି ଲୋକଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ସମ୍ମାନସ୍ପଦ ସମ୍ବର୍ଦ୍ଧନାକୁ ନେଇ ଉଠିଛି ପ୍ରଶ୍ନ । ଓଡିଶାର ବରପୁତ୍ରଙ୍କ ପ୍ରତି ଏହା ଘୋର ଅପମାନ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ଘର ଓ ପ୍ଲଟ ଯୋଗାଇ ଦେବା ନାଁରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ୨୦୧୨ ଡିସେମ୍ବର ୨୫ ତାରିଖରେ ଗିରଫ ହୋଇଥିଲେ ତିରୁପତି ପାଣିଗ୍ରାହୀ । ହାଇଟେକ ଗ୍ରୁପ ଅଧୀନରେ ରାଜଧାନୀ ସିଷ୍ଟମ୍ସ ଆଣ୍ଡ ଇଷ୍ଟେଟ୍ସ କମ୍ପାନି ଜରିଆରେ ଏହି ଠକେଇ ହୋଇଥିଲା । ଯାହାର ପରିଚାଳନା ନିର୍ଦ୍ଦେଶକ ଥିଲେ ତିରୁପତି ପାଣିଗ୍ରାହୀ । ତିରୁପତିଙ୍କ ସହ କମ୍ପାନିର ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଗିରଫ କରିଥିଲା ଓଡିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ପରେ ସୁପ୍ରିମକୋର୍ଟରୁ ଜାମିନରେ ଆସିଥିଲେ ତିରୁପତି । ଏଭଳି ଜଣେ ବିବାଦୀୟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପଛରେ କଣ ରହିଛି ଆୟୋଜକଙ୍କ ଯୁକ୍ତି ଶୁଣନ୍ତୁ ।

ତିରୁପତି ପାଣିଗ୍ରାହୀଙ୍କ ବିରୋଧରେ ଜମି କେଳେଙ୍କାରୀ ମାମଲାର ବିଚାର ଚାଲିଥିବାବେଳେ ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରି ମହାପୁରୁଷଙ୍କ ନାଁରେ ନାମିତ କରାଯାଇଥିବା ସମ୍ମାନ ପ୍ରଦାନ କରାଯିବା ଏହି ପ୍ରବାଦ ପୁରୁଷଙ୍କ ପ୍ରତି ଘୋର ଅପମାନ ବୋଲି ଚର୍ଚ୍ଚା ହେଉଛି ।