ଜୀବନ ଗଲେ କଣ ସୁଧୁରିବ ? ଇଏ କି ନିଶା…ଛାତରୁ ପଡି ହସ୍ପିଟାଲ ଗଲେ, ହସ୍ପିଟାଲ ବେଡରେ ବି ଟିକଟକ କଲେ

642

କନକ ବ୍ୟୁରୋ: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ… ଏ ଯୁବକଙ୍କ ଦେଖିଲେ ଓଡିଆର ସେ ଢଗଢମାଳି ମନେ ପଡିଯାଉଛି । କାରଣ ଟିକଟକ କରୁକରୁ ଯୁବକ ଜଣଙ୍କ ଛାତରୁ ଗଳି ପଡିଲେ ଆଉ ହସ୍ପିଟାଲ ବି ଗଲେ, ହେଲେ ତଥାପି ଉତୁରିଲାନି ତାଙ୍କ ଟିକଟକ ନିଶା । ଟିକଟିକ ନିଶା ତାଙ୍କୁ ଏତେ ଘାରିଛି ଯେ, ସେ ସ୍ଥାନ କାଳ ପାତ୍ର କିଛି ମାନୁନାହାନ୍ତି । ଯେଉଁଠି ପାରୁଛନ୍ତି ସେଠି ଟିକଟକ କରୁଛନ୍ତି । ଏମିତିକି ହସ୍ପିଟାଲ ବେଡରେ ପଡି ବି ଟିକଟକ କରିବାକୁ ପଛାଉ ନାହାନ୍ତି । ଦେଖନ୍ତୁ ଗୁରୁତର ହେବା ପରେ ବି ସେ କେମତି କରୁଛନ୍ତି ଟିକଟକ ।

ତେବେ ଦୁଇ ଦିନ ତଳେ ରାଉରକେଲା ଗୋଲଘର ବସ୍ତିର ଯୁବକ ଅନିଲ ଗୋଚ୍ଛାୟତ ଟିକଟକ କରୁଥିବା ବେଳେ ଛାତରୁ ଗଳି ପଡିଥିଲେ । ସେକ୍ଟର-୬ ଆରଏସପି କ୍ୱାର୍ଟର୍ସର ଏକ ଦୁଇ ମହଲା ଛାତରେ ଟିକଟିକ କରୁକରୁ ଖସି ପଡିଥିଲେ ଅନିଲ । ଆଉ ଗୁରୁତର ହେବା ପରେ ତାଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ମାତ୍ର ଏତେ ବଡ ଦୁର୍ଘଟଣା ଘଟିବା ପରେ ବି ସେ ସୁଧୁରି ନଥିଲେ ବରଂ ସେହି ହସ୍ପିଟାଲ ବେଡରେ ଟିକଟକ କରିଥିଲେ ।

ତେବେ ଏଭଳି ଘଟଣା ପରେ ଯୁବପିଢିଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିଜ ଜୀବନକୁ ବାଜିରେ ଲଗାଇ ଯୁବପିଢି କଣ ପାଇଁ ଏଭଳି କାମ କରୁଛନ୍ତି ? ଟିକଟକ କରିଦେଲେ କେହି କଣ ରାତାରାତି ଷ୍ଟାର ହୋଇଯିବ? ନା ଟିକଟକ ସେମାନଙ୍କୁ ନୂଆ ପରିଚୟ ଦେବ? ଜୀବନକୁ ବାଜିରେ ଲଗାଇ ଏଭଳି ଅଭିନୟ ନକରିବାକୁ ଯୁବପିଢିଙ୍କୁ ଅନୁରୋଧ ।