ଚଳିତ ବର୍ଷ ଲଂଚ ହେବ ଦୁନିଆର ପ୍ରଥମ ରୋଲେବଲ ଟିଭି ! ପୋଷ୍ଟର ପରି ମୋଡ଼ି ଡବାରେ ରଖିପାରିବେ

147

ନିକଟରେ ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ଦୁନିଆର ପ୍ରଥମ ରୋଲେବଲ ଟିଭି ଉପସ୍ଥାପନ କରିଛି । ଏଲଜି ଏହି ଟିଭିକୁ ଓଏଲଇଡି ଟିଭିର ସିରିଜ ଭାବରେ ଉପସ୍ଥାପନ କରିଛି । ଏହାକୁ ତିନୋଟି ମୋଡ଼ରେ ବ୍ୟବହାର କରିହେବ । ତେବେ ପୁରା ଦୁନିଆରେ ଏହି ଟିଭିକୁ ଲଂଚ କରିବା ପାଇଁ ଏଲଜି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ଏଲଜି ପକ୍ଷରୁ ପ୍ରକାଶ କରାଯାଇଛି ଏହି ଟିଭିର ବିକ୍ରି ଚଳିତ ବର୍ଷ ଆରମ୍ଭରୁ ହିଁ ହୋଇଯିବ । ତେବେ ଟିଭିର ମୂଲ୍ୟ କେତେ ରହିବ ଏଯାଏଁ ପ୍ରକାଶ ହୋଇନାହିଁ । ୬୫ ଇଂଚ ଯୁକ୍ତ ଏହି ଟିଭିକୁ ଆପଣ ଯେତେ ବେଳେ ଚାହିଁବେ ଦେଖିବେ ଏବଂ ଅନ୍ୟ ସମୟରେ ଫୋଲ୍ଡ କରି ମଧ୍ୟ ରଖିପାରିବେ ।

ଏହି ଟିଭିର ସ୍ୱତନ୍ତ୍ରତା ହେଲା ପୋଷ୍ଟର ପରି ଫୋଲ୍ଡ କରି ଏହାକୁ ଡବାରେ ରଖିପାରିବେ । ରୋଲେବଲ ଓଏଲଇଡି ଟିଭି ଏକ ନୂଆ ଯୁଗ ଆଣିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ । କାରଣ ଏହି ଟିଭି ଲଗାଇବା ପାଇଁ ଅଧିକ ସ୍ଥାନ ଆବଶ୍ୟକ ପଡ଼ିବ ନାହିଁ । ଟିଭି ପାଇଁ ସ୍ୱତନ୍ତ୍ର କାନ୍ଥ ମଧ୍ୟ ଦରକାର ପଡ଼ିବ ନାହିଁ । ଏହି ଟିଭିକୁ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ନିର୍ମାଣ କରାଯାଇଛି ବୋଲି କୁହାଯାଉଛି ।