ମା’ର ଶ୍ରାଦ୍ଧବାର୍ଷିକୀରେ ଚାଲିଗଲା ପୁଅର ଜୀବନ । ଶୁଦ୍ଧି ହୋଇ ଫେରୁଥିବା ବେଳେ ଘଟିଲା ଛାତିଥରା ଦୁର୍ଘଟଣା ।

848

କନକ ବ୍ୟୁରୋ : ମା’ର ବର୍ଷିକିଆ କର୍ମ ସାରି ନଦୀ ତୁଠରୁ ଶୁଦ୍ଧି ହୋଇ ଘରକୁ ଫେରୁଥିବା ପୁଅର ଦୁର୍ଘଟଣାରେ ଜୀବନ ଯାଇଛି । ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ ଥାନା ଅଧିନ ମାଳଦା ଗ୍ରାମର ହରିହର ସାହୁ(୪୫) ଆଜି ନିଜ ମା’ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଥିବାରୁ ନିକଟ ନୂଆ ନଦୀରୁ ଶୁଦ୍ଧି ହୋଇ ଘରକୁ ଫେରୁଥିବା ବେଳେ ବାଟରେ ମୃତ୍ୟୁ କବଳରେ ପଡ଼ିଛନ୍ତି । ସେ ନିଜର ବାଇକ ଯୋଗେ କୁସୁମପଡ଼ିିଆ ନଦୀ ପଠାରୁ ବରୀ-ବରୁହାଁ ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ ବିପରୀତ ଦିଗରୁ ଆସୁୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ହରିହର ସେଠାରେ ବାଇକରୁ ଛିଟିକି ପଡିଥିଲେ । ଅନ୍ୟ ବାଇକ ଆରୋହୀ ଜଣକ ଦ୍ରୁତ ବେଗରେ ମୋବାଇଲରେ କଥା ହୋଇଯାଉଥିବା ବେଳେ ସେ ମଧ୍ୟ ଦୁର୍ଘଟଣା ଘଟାଇବା ପରେ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ ।

ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହରିହରଙ୍କ ମୁହଁ ଓ ମୁଣ୍ଡରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ କଟକରେ ଚିକିତ୍ସାଧିନ ଅବସ୍ଥାରେ ହରିହରଙ୍କର ମୃତ୍ୟୁ ହୋଇଯାଇଥିଲା । ଏପରି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦୁର୍ଘଟଣା ଘଟାଇଥିବା ଯୁବକର ପରିଚୟ ମିଳି ନ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ୍‌କୁ ଜବତ କରି ପୁଲିସ ତଦନ୍ତ ଜାରି ରଖିଛି ।