ଏବେ ଶୁଖିଲା ପଡିଛି ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ ରିଷିଆ ଡ୍ୟାମ୍ । ଆସୁନାହାଁନ୍ତି ପର୍ଯ୍ୟଟକ, କ୍ରିକେଟ ଖେଳୁଛନ୍ତି ପିଲା ।

275

କନକ ବ୍ୟୁରୋ: ହାଲୁକା ଶୀତକୁ କଅଁଳ ବସନ୍ତର ସ୍ପର୍ଶ, ପର୍ଯ୍ୟଟକଙ୍କ ମନରେ ଅନେକ ଆଶା ଓ ଉଦୀପନା ସୃଷ୍ଟି କରିଛି । ଏହାକୁ ଉପଭୋଗ କରିବାକୁ ପର୍ଯ୍ୟଟନୀ ସ୍ଥଳରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ହେଲେ ଶୀତ ରୁତୁରେ ଶୁଖିଲା ପଡିଛି ରିଷିଆ ବନ୍ଧ । ଯାହା ଦିନେ ଏକର ଏକର ଜମିକୁ ପାଣି ଯୋଗାଉଥିଲା, ତାହା ଏବେ ସ୍ଥାନୀୟ ପିଲାଙ୍କ ପାଇଁ ପାଲଟିଛି ଖେଳପଡିଆ ।

ରିଷିଆ ଡ୍ୟାମ । ପ୍ରକୃତିର ନିବାସ । ପାହାଡ, ପର୍ବତ, ଜଂଗଲ ଭିତରେ ରହିଛି ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟନ ରୁତୁ ଆସିଲେ ଏହି ପର୍ଯ୍ୟଟନସ୍ଥଳୀର ମନୋରମ ଦୃଶ୍ୟ, ପର୍ଯ୍ୟଟକକଙ୍କୁ ତା କୋଳକୁ ଟାଣି ଆଣିଥାଏ । ଜମିଥାଏ ପର୍ଯ୍ୟଟକଙ୍କ ଭିଡ । କିନ୍ତୁ ବର୍ତମାନର ରିଷିଆ ଜଳସେଚନ ପ୍ରକଳ୍ପକୁ ଦେଖନ୍ତୁ । ନୀଳଗିରି ବ୍ଲକ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଭିତରେ ରହିଥିବା ଏହି କ୍ଷୁଦ୍ର ଜଳଭଣ୍ଡାର ଏବେ ଧିରେ ଧିରେ ଶୁଖିବାକୁ ଲାଗିଲାଣି । ଏପରିକି ଟାଙ୍ଗଡା ନଦୀ ଉପରେ ନିର୍ମାଣ ହୋଇଥିବା ୪ ହଜାର ୩ଶହ ଫୁଟ ଲମ୍ବା ବିଶିଷ୍ଠ ଏହି ପ୍ରକଳ୍ପ ଏବେ ଶୁଖିଲା ସମତଳ ଭୂମି ହେବାକୁ ବସିଲାଣି । ଆଉ ପାଣି ନଥିବାରୁ ସ୍ଥାନୀୟ ପିିଲାମାନେ ଏହାକୁ କ୍ରିକେଟ ପଡିଆ ଭାବରେ ବ୍ୟବହାର କରୁଛନ୍ତି । ଡ୍ୟାମର ପାଣି କମି ଯାଇଥିବାରୁ, କୂଳଡିହା ଅଭୟାରଣ୍ୟରେ ମଧ୍ୟ ବୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ପର୍ଯ୍ୟଟକମାନେ ଏବେ ଏଠାକୁ ଆସିବାକୁ ନାକ ଟେକିଲେଣି । କେବଳ ପର୍ଯ୍ୟଟକ ନୁହଁନ୍ତି, ପ୍ରତିବର୍ଷ ଆସୁଥିବା ବିଦେଶାଗତ ପକ୍ଷୀଙ୍କର ବି ଦେଖା ଦର୍ଶନ ନାହିଁ ।

ରିଷିଆ ଡ୍ୟାମର ପାଣିକୁ ମୁଖ୍ୟତଃ ଭାବରେ ଜଳସେଚନ ପାଇଁ ବ୍ୟବହାର କରାଯାଇଥାଏ । ଡ୍ୟାମ ପାଖରେ ଥିବା ତିନୋଟି ପଂଚାୟତର ପ୍ରାୟ ୧୦ ହଜାର ଚାଷୀ ଜଳସେଚନ ପାଇଁ ଏହି ଡ୍ୟାମ ଉପରେ ନିର୍ଭର କରିଥାନ୍ତି । ହେଲେ, ଡ୍ୟାମର ଜଳସ୍ତର ଏବେଠାରୁ କମିବାକୁ ନେଇ ରବି ଫସଲ ସମୟରେ ଜମିକୁ କେମିତି ଜଳସେଚନ ହେବ, ସେନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀ । ମତ୍ସ୍ୟଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଜେଇ କହିଛନ୍ତି ଚାଷ କାର୍ଯ୍ୟ ପାଇଁ ପାଣି ଛଡା ଯିବାରୁ ଜଳସ୍ତର କମିଛି ।