ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ ରିଟାୟାର୍ଡ ଅଫିସରଙ୍କୁ ମିଳିବ ନିଯୁକ୍ତି । ପ୍ରଶ୍ନ ଉଠାଇଲା ରାଜ୍ୟ ବିଜେପି । ଭୃଗୁବକ୍ସି କହିଲେ, ଓଡିଶାରେ ପ୍ରଚଳିତ ହେଉଛି ରିଟାୟାର୍ଡ ଅଫିସରଙ୍କ ସରକାର ।

80

କନକ ବ୍ୟୁରୋ: ବିରୋଧୀ ଦଳ ନେତା ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦପଦବୀରେ ଅବସରପ୍ରାପ୍ତ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏବେ ଜିଲ୍ଲା ସ୍ତରକୁ ଯାଇ ରାଜ୍ୟ ସରକାର ନିଯୁକ୍ତି ଦେବାକୁ ପଛେଇଲେ ନାହିଁ । ଭୟ ଲାଗିଲାଣି, ଆଗକୁ ପଞ୍ଚାୟତ ଓ ବ୍ଲକରେ ବି ଏମାନେ ଏମିତି କରିବେ । ଓଡିଶାର ଯୁବକମାନଙ୍କୁ ରୋଜଗାର ନାହିଁ, ସରକାର ରୋଜଗାର ଦେବାର ବ୍ୟବସ୍ଥା ବି କରୁନାହାନ୍ତି । ସହରାଞ୍ଚଳ ଦାୟିତ୍ୱରେ ଅସ୍ଥାୟୀ ଅଧିକାରୀ ନିଯୁକ୍ତି ହେବା ପ୍ରସଙ୍ଗରେ ଗୁରୁବାର ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଭୃଗୁବକ୍ସି ପାତ୍ର ।

ତାଙ୍କ କହିବା ମୁତାବକ, ଓଡିଶା ସରକାରଙ୍କୁ କଣ ୩୦ ଜିଲ୍ଳାରେ ୩୦ ଅଫିସର ମିଳିଳେନି ? ଯଦି ଅଫିସର ମିଳିଳେନି ତେବେ ଯୋଗ୍ୟତାର ପ୍ରଶ୍ନ ଉଠୁଛି କି ? ନିର୍ବାଚନକୁ ଆଖିରେ ରଖି ସରକାର ଏମିତି କରୁନାହାନ୍ତି କି ? ସବୁଠୁ ବଡ଼ ଦୁଃଖ ଦାୟକ ଅବସ୍ଥା ହେଉଛି ଟାଟା ପାୱାରରେ ବି ଏମାନେ ରିଟାୟାର୍ଡ଼ ଅଫିସରଙ୍କୁ ରଖୁଛନ୍ତି । ଏହାଦ୍ୱାରା ପ୍ରଶାସନିକ ଇନବାଲାନ୍ସ ହେବ ବୋଲି ଭୃଗୁବକ୍ସି ପାତ୍ର କହିଛନ୍ତି । ଖାଲି ସେତିକି ନୁହେଁ, ବିଜେପି ଏହାକୁ ନିନ୍ଦା କରୁଛି । ରାଜ୍ୟ ସରକାର ଏହି ନିଷ୍ପତିକୁ ପୁନର୍ବିଚାର କରନ୍ତୁ ।

ଗୋଟିଏ ଗୋଟିଏ ବିଭାଗରେ ୮ ବର୍ଷ ୧୦ ବର୍ଷ ଅଫିସର ସଚିବ ରହିଲେଣି । ଜିଲ୍ଲାରେ ଚାରି ପାଞ୍ଚ ବର୍ଷ ଜିଲ୍ଲପାଳ ଓ ଏସପି ଏବଂ ନିର୍ଦ୍ଧିଷ୍ଟ ପୋଲିସ ଅଫିସର ଅଛନ୍ତି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବଡ଼ ବଡ଼ ପଦବୀରେ ରିଟାୟାର୍ଡ ଅଫିସରମାନଙ୍କ କ୍ଳବ ହେଇଛି ବୋଲି ବିରୋଧୀ ଦଳ ନେତା କହିଥିଲେ ଆଉ ଏବେ ସରକାର ଏହାକୁ ଜିଲ୍ଲା ସ୍ତରକୁ ନେଇଗଲେ । ରିଟାୟାର୍ଡ଼ ଅଫିସରମାନଙ୍କ ସରକାର ଓଡିଶାରେ ପ୍ରଚଳିତ ହେଉଛି । ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ ପାଳନ କରିବାକୁ ଯାଉଛି, ସେତେବେଳେ ଏଭଳି ନିଷ୍ପତି କଷ୍ଟ ଦେଉଛି । ପଦ୍ମପୁର, ବ୍ରଜରାଜନଗର, ଧାମନଗର ସବୁଠି ରିଟାୟାର୍ଡ ଅଫିସରମାନେ ମନିଟରିଂ କରୁଥିଲେ । ଏବେ ନିର୍ବାଚନ ଆଗରୁ ସରକାର ଅଫିସର ମାନଙ୍କୁ ଆହୁରି ନିଷ୍ଠାପର କରିବାକୁ ଯୋଜନା କରିଛନ୍ତି । ଏ ସବୁ ଭୋଟ ଲାଗି କରୁଛନ୍ତି, ଅଫିସର ମାନଙ୍କୁ ଲଗେଇ ନିର୍ବାଚନ କାମ କରିବା ଲାଗି ବ୍ୟବସ୍ଥା ହେଉଛି ବୋଲି ବିଜେପି ରାଜ୍ୟ ଉପସଭାପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସହରାଞ୍ଚଳ ଦାୟିତ୍ୱରେ ରହିବେ ଅସ୍ଥାୟୀ ଅଧିକାରୀ । ସମସ୍ତ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହେବେ । ଅବସରପ୍ରାପ୍ତ ଓଏଏସ୍, ଓଏଫଏସ୍, ଓପିଏସ୍, ଓଆରଏସ୍, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀଙ୍କ ସମେତ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ । ତେବେ ଏହି ନିଯୁକ୍ତି ସଂପୂର୍ଣ୍ଣ ଠିକା ବୋଲି ରାଜ୍ୟ ସରକାର କହିଥିବା ବେଳେ ସେମାନଙ୍କୁ ୧ ବର୍ଷ ପାଇଁ ନିଯୁକ୍ତି ଦିଆଯିବ । ଏଥିପାଇଁ ସେମାନଙ୍କୁ ମାସିକ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଅବସରପ୍ରାପ୍ତ କର୍ମଚାରୀମାନେ ପୌରସଂସ୍ଥା ଗୁଡ଼ିକର ନିରୀକ୍ଷଣ କାମ ବୁଝିବେ । ବୁଧବାର ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ ସହିତ କାର୍ଯ୍ୟ ପରିଚାଳନା ପାଇଁ ଶକ୍ତିଶାଳୀ ପ୍ରକଳ୍ପ ପରିଚାଳନା ୟୁନିଟ୍ ଯୋଗାଇ ଦେବାକୁ ନିଷ୍ପତି ହୋଇଛି । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ରାଜ୍ୟରେ ଖାଲି ଥିବା ସ୍ଥାନରେ ଏମାନଙ୍କୁ ନିଯୁକ୍ତି ଦିଆଯିବ । ତେବେ ଏହି ନିଯୁକ୍ତିକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଚିହ୍ନ ଉଠାଇଛନ୍ତି ।