ରାଜ୍ୟସଭାରେ ବିରୋଧୀଙ୍କ ହୋ ହାଲ୍ଲା ପ୍ରସଙ୍ଗ , ଭେଙ୍କିୟା ନାଇଡୁ କହିଲେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ !

123

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରେ ପେଗାସସ୍, କୃଷି ଆଇନ ଓ ଦରବୃଦ୍ଧିକୁ ନେଇ ବିରୋଧୀମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ଏନେଇ ସଂସଦର ରାଜ୍ୟସଭାରେ ବିରୋଧୀଦଳର ସାଂସଦମାନେ ଅଧ୍ୟକ୍ଷଙ୍କ ସହ ସରକାରୀ ଦଳର ସାଂସଦମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ ସଂସଦକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ ରଖାଯିବା ସହ କିଛି ବିରୋଧୀ ସାଂସଦଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇଶାରା ଦେଇଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ସେ କହିଛନ୍ତି କି ବାହାରର ରାଜନୈତିକ ଲଢେଇ ସଂସଦ ଭିତରେ ଲଢାଯିବା ଠିକ୍ ନୁହେଁ ।

ଅଗଷ୍ଟ ୧୦ ଓ ୧୧ ତାରିଖରେ ରାଜ୍ୟସଭାରେ କିଛି ବିରୋଧୀ ସାଂସଦ ଜୋରଦାର ହଙ୍ଗାମା କରିଥିଲେ । କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବିରୋଧୀ ସାଂସଦମାନେ ରାଜ୍ୟସଭାରେ ନିଯୁକ୍ତ ମାର୍ଶଲମାନଙ୍କ ସହ ହାତା ହାତି ହୋଇଥିଲେ । କେବଳ ସେତିକି ନୁହେଁ କିଛି ବିରୋଧୀ ସାଂସଦ ଅଧ୍ୟକ୍ଷଙ୍କ ଟେବୁଲ ଉପରେ ଚଢି କାଗଜ ଚିରି ଫୋପାଡି ଥିଲେ । ଏହାକୁ ନେଇ ଭାବୁକ ହୋଇପଡିଥିଲେ ଭେଙ୍କିୟା ନାଇଡୁ । ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ କି ସଂସଦ ଭିତରେ ବିରୋଧୀ ମାନଙ୍କୁ କହିବାର ସୁଯୋଗ ଦିଆଯାଉ ନାହିଁ ।

ବିରୋଧୀ ସାଂସଦଙ୍କ ଏଭଳି ଆଚରଣକୁ ନେଇ ଭେଙ୍କିୟା ନାଇଡୁ କହିଛନ୍ତି କି, ସଂସଦର ଟ୍ରେଜେରୀ ଓ ବିରୋଧୀ ଦୁଇଟି ଆଖିଭଳି । ତେଣୁ ସେ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି । ହେଲେ ବିରୋଧୀମାନେ ଯେଭଳି ଆଚରଣ କଲେ ତାହାକୁ ନେଇ ରାଜ୍ୟସଭା ତରଫରୁ ତୁରନ୍ତ ଏକ କମିଟି ଗଠନ କରାଯାଇ ପୁରା ଘଟଣାର ଅନୁସନ୍ଧାନ ହେବ ଓ ଆବଶ୍ୟକ ପଡିଲେ ସଂସଦ ଭିତରେ ଅଶାଳୀନ ଆଚରଣ କରିଥିବା ସାଂସଦମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।