ଚାଲିଗଲେ ବାପା-ମାଆ ଅନାଥ ହୋଇଗଲେ ଛୁଆ । ଏବେ ସାହାଯ୍ୟ ଆଶାରେ ୩ ଅନାଥ ପିଲା ।

144

କନକ ବ୍ୟୁରୋ: ବାପା-ମାଆ ପିଲାମାନଙ୍କ ଭରସା, ସାହସ ଆଉ ଧୈର୍ଯ୍ୟ । ବାପା-ମାଆ ଥିଲେ ପିଲାମାନେ କେଉଁଠି ବି ହାରନ୍ତିନି । ପିଲାଟି ବେଳୁ ସେମାନଙ୍କ ହାତ ଧରି ଅନ୍ଧାର ଦୁନିଆରୁ ଆଲୋକ ଆଡକୁ ବାଟ ଦେଖାନ୍ତି ବାପା-ମାଆ । ଆଉ ସେମାନଙ୍କର କୁନି ଭବିଷ୍ୟତକୁ ନିଜ ହାତରେ ଗଢି ଦିଅନ୍ତି । ହେଲେ ଯେତେବେଳେ କୁନି କୁନି ବୟସରେ ପିଲାମାନଙ୍କୁ ଛାଡି ବାପା-ମାଆ ଆରପାରିକି ଚାଲି ଯାଆନ୍ତି, ଥରେ ଭାବନ୍ତି ସେତେବେଳେ ସେହି ପିଲାଙ୍କ ଉପରେ କେମିତି ବିତୁଥିବ ସେହି ମୂହୁର୍ତ୍ତ ।

ଜୀବନରେ ବାପା-ମାଆଙ୍କ ମୂଲ୍ୟ କଣ ବୁଝିବା ଆଗରୁ ଦଇବ ସେମାନଙ୍କ ମୁଣ୍ଡରୁ ଛଡାଇ ନେଲା ବାପା-ମାଆଙ୍କ ସାହାର । ଆଉ କୁନି କୁନି ବୟସରେ ଅନାଥ ହୋଇଗଲେ ୩ ଶିଶୁ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତନପୁର ଗାଁର ଗୋଲେଖ ମଲ୍ଲିକଙ୍କ ୩ ପିଲାଙ୍କ କଥା । ବାପା-ମାଆ ଯିବା ପରେ ଏବେ ଏହି ୩ ପିଲାଙ୍କ ପାଠ ପଢା ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।

୩ ପିଲା ଓ ସ୍ତ୍ରୀଙ୍କୁ ନେଇ ଗୋଲେଖ ମଲ୍ଲିକ ପରିବାର ସୁରୁଖୁରୁରେ ଚାଲିଥିଲା । ହେଲେ ୨୦୧୯ରେ ସେମାନଙ୍କ ପରିବାର ଉପରକୁ ସତେ ଯେମିତି କାହା ନଜର ଲାଗି ଯାଇଥିଲା । ୨୦୧୯ରେ ଟିବି ରୋଗରେ ପୀଡିତ ହୋଇ ଆଖି ବୁଜି ଦେଇଥିଲେ ଗୋଲେଖ ମଲ୍ଲିକ । ଗୋଲେଖଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବହୁ କଷ୍ଟେ ମଷ୍ଟେ ପରିବାର ଚଳାଇଥିଲେ । ହେଲେ ଏତକ ବି ସହି ପାରିନଥିଲା ଦଇବ । ଶେଷରେ କୁନି କୁନି ପିଲାଙ୍କ ମୁଣ୍ଡ ଉପରୁ ମାଆର ପଣତ କାନି ବି ଛଡାଇ ନେଲେ । ୨ ମାସ ତଳେ ଗୋଲେଖଙ୍କ ସ୍ତ୍ରୀ ବି ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ।

ବାପା-ମାଆଙ୍କ ମୃତ୍ୟୁ ପରେ ଏବେ ଏହି ୩ ପିଲା ବଡ ବାପାଙ୍କ ପାଖରେ ଆଶ୍ରୟ ନେଉଛନ୍ତି । ହେଲେ ବଡ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବି ଖରାପ । ୩ ପିଲାଙ୍କୁ ପାଠ ପଢାଇବା ସହ ତାଙ୍କ ନୂଆ ଭବିଷ୍ୟତ ଗଢିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ସେପଟେ କୁନି କୁନି ଦୁଇ ଭାଇଙ୍କ ଭବିଷ୍ୟତ ଏବେ ବଡ ଭଉଣୀ ସୋନୁଙ୍କ ଉପରେ ।

ଝିଅ ସୋନୁ ବାଲିପାଟଣା ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବାବେଳେ ଦୁଇ ପୁଅ ଶିବା ଓ ମଙ୍ଗୁଳି ୬ଷ୍ଠ ଓ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି । ହେଲେ ଲକଡାଉନ ଯୋଗୁଁ ଏବେ ସ୍କୁଲ ବନ୍ଦ ଅଛି । କିନ୍ତୁ ଅନଲାଇନରେ ପାଠ ପଢିବା ପାଇଁ ଏମାନଙ୍କ ପାଖରେ ଖଣ୍ଡେ ସ୍ମାର୍ଟ ଫୋନ ବି ନାହିଁ । କହିବାକୁ ଗଲେ ବାପା-ମାଆଙ୍କ ମୃତ୍ୟୁ ପରେ ଏମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଛି । ତେଣୁ ସରକାରଙ୍କଠାରୁ ସାହାଯ୍ୟ ପାଇଁ ଏବେ ହାତ ଯୋଡି ଗୁହାରି କରୁଛନ୍ତି ଏହି କୁନି କୁନି ପିଲା ।