କୁକୁଡା ଖାଇଲେ, ପଇସା ନେଲେ.. ହେଲେ ଆଦିବାସୀ ଗାଁକୁ ଆସିଲାନି ବିଜୁଳି । ତିନି ବର୍ଷ ହେଲା ଗାଁରେ ତାର କି ଖୁଣ୍ଟ ନାହିଁ । ଘରେ ଘରେ ଲାଗିଛି କେବଳ ବୋର୍ଡ ।

155

କନକ ବ୍ୟୁରୋ: ତିନି ବର୍ଷ ତଳେ ଯୋଜନା ହୋଇଥିଲା ଆଦିବାସୀ ଗାଁକୁ ବିଜୁଳି ଆସିବ । ରାତିର ଅନ୍ଧାର ହଟି ଗାଁ ଉଜ୍ଜଳ ହେବ । ଯାହାକୁ ଆଶା କରି ବସିଥିଲେ ଜଙ୍ଗଲ ଘେରରେ ରହୁଥିବା ୩ଟି ଗାଁର ୪୦ ରୁ ୪୫ ପରିବାର । କିନ୍ତୁ ସେମାନଙ୍କ ଆଶା ଆଶାରେ ରହି ଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସ୍ରାଲିଯୋଡି ସମେତ କଡିଡ୍ରାଗା, ପ୍ରିଡିସକେତା ଆଦିବାସୀ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପଡି ପାରିଲାନି କି ତାର ଟଣା ହୋଇପାରିଲା ନାହିଁ କିନ୍ତୁ ଠିକାଦାର ଆସି ଘରେ ଘରେ ବିଦ୍ୟୁତ୍ ବୋର୍ଡ ସାଙ୍ଗକୁ ଲୁହା ସର୍ଭିସ୍ ପାଇପ୍ ଓ ତାର ଯୋଡି ଦେଇ ଚାଲିଯାଇଛନ୍ତି । ତେବେ ଏନେଇ ବିଜୁଳି ସଂଯୋଗ କରିବା ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି । ତେଣୁ ବଣ ଜଙ୍ଗଲ ଘେରା ଗାଁ ଗୁଡିକରେ ରାତି ଭୟ ବଢୁଛି । ଅନ୍ଧାର ଦୂର କରିବା ପାଇଁ ଲୋକ ଓ ଛାତ୍ରଛାତ୍ରୀ ଆଜି ବି ଡିବିରି ଆଲୁଅକୁ ଭରସା କରୁଛନ୍ତି । ଗାଁକୁ ବିଜୁଳି ସଂଯୋଗ ହେବ, ଖୁଣ୍ଟ ପଡିବ, ବିଦ୍ୟୁତ୍ ତାର ଟଣାହେବ, ତେଣୁ ଗାଁକୁ ରାସ୍ତା ନିର୍ମାଣ ସାଙ୍ଗକୁ ଗଛ ଡାଳ ସଫା କରିଥିଲେ ଗ୍ରାମବାସୀ । ଏହାରି ଭିତରେ ଅନେକ ଦିନ ବିତିଗଲାଣି ହେଲେ, ହେଲେ ଆଦିବାସୀ ମଣିଷଙ୍କ ସ୍ୱପ୍ନ ସତ ହୋଇ ପାରିଲାନାହିଁ ।