ରାଜ୍ୟସଭା ପାଇଁ ବଢୁଛି ଆଶାୟୀଙ୍କ ସଂଖ୍ୟା

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୁଲାଇରୁ ଖାଲି ପଡୁଥିବା ତିନିଟି ରାଜ୍ୟସଭା ଆସନ ଲାଗି ଆଶାୟୀଙ୍କ ସଂଖ୍ୟା ଅନେକ । ଏନେଇ ବିଜେଡି ନେତାମାନେ ଯେତେ ଯାହା ସଫେଇ ଦେଉଥିଲେ ମଧ୍ୟ ଦଳରେ କସରତ ଜୋରଦାର । ତିନିଟି ଆସନକୁ ଆଶା କରି ବସିଛନ୍ତି ସଂଖ୍ୟାଧିକ ପ୍ରାର୍ଥୀ । ସେପଟେ ସଭ୍ୟପଦ ଶେଷ ହେଉଥିବା ସାଂସଦ ମଧ୍ୟ ପୁଣିଥରେ ରାଜ୍ୟସଭା ଯିବାକୁ ଆଶା ବାନ୍ଧି ବସିଛନ୍ତି । ଏହି କ୍ରମରେ ସାଂସଦ ବୈଷ୍ଣବ ପରିଡା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ତେବେ ଓଡିଆ ଭାଷା ଆନ୍ଦୋଳନ ଜରିଆରେ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି ବିବାଦୀୟ ହୋଇପଡିଛନ୍ତି ବୈଷ୍ଣବ ପରିଡା । ଆଉ ଏହାକୁ ଆଳ କରି ବୈଷ୍ଣବଙ୍କ ପାଇଁ ଲବି ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଦ୍ୱିତୀୟଥର ଲାଗି ତାଙ୍କୁ ରାଜ୍ୟସଭା ପଠାନଗଲେ, ଭାଷା ଆନ୍ଦୋଳନ ପାଇଁ ତାଙ୍କୁ ବଳି ପକାଗଲା ବୋଲି ଚର୍ଚ୍ଚା ହେବ କହି ଦଳର କିଛି ନେତା ବୈଷ୍ଣବଙ୍କ ସପକ୍ଷରେ ଯୁକ୍ତି ବାଢିଥିବା ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିଲେ ଭୁପିନ୍ଦର ସିଂ । ତେଣୁ ତାଙ୍କୁ ଗୋଟିଏ ପୁରା ଟର୍ମ ରାଜ୍ୟସଭା ପଠାନଗଲେ କଂଗ୍ରେସ ଏହାକୁ ନେଇ ଟାହିଟାପରା କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।ଆଉ ସେଥିପାଇଁ କାଳେ ଗୋଟିଏ ଗୋଷ୍ଠୀ ଭୁପିନ୍ଦରଙ୍କୁ ପୁଣିଥିରେ ରାଜ୍ୟସଭା ପଠାଇବାକୁ ନବୀନଙ୍କୁ ଅନୁରୋଧ କରିଥିବା କୁହାଯାଉଛି । ଜୁଲାଇରେ ବି ଶେଷ ହେଉଛି ବିଜେଡିରୁ ବହିଷ୍କୃତ ପ୍ୟାରୀମୋହନ ମହାପାତ୍ରଙ୍କ ସଦସ୍ୟତା । ତେବେ ଦିନେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ପ୍ୟାରୀବାବୁ ମଧ୍ୟ ପୁଣିଥରେ ରାଜ୍ୟସଭା ଯିବାକୁ ରାଜନୈତିକ ଗୋଟି ଚାଳନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।