କେନ୍ଦ୍ର ସରକାରଙ୍କ ବିରୋଧରେ ରାଜଘାଟ ଠାରେ କଂଗ୍ରେସର ସତ୍ୟାଗ୍ରହ । ଧାରଣା ସ୍ଥଳରେ ୧୪୪ଧାରା ଲାଗୁକଲା ପ୍ରଶାସନ

115

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଅଯୋଗ୍ୟ ଘୋଷିତ ହେବା ପରେ ଆକ୍ସନ ମୋଡକୁ ଆସିଛି ଦଳ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜଘାଟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଜି ଦିନିକିଆ ସତ୍ୟାଗ୍ରହ କରୁଛି ଦଳ । ପାର୍ଟି ମୁତାବକ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ଅନ୍ୟାୟ ବିରୋଧରେ ଦଳକୁ ଏକଜୁଟ କରିବା ଲକ୍ଷ୍ୟରେ ଏବେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାକୁ ଦଳ ସଂକଳ୍ପ ସତ୍ୟାଗ୍ରହ ବୋଲି ନାମିତ କରିଛି । କେବଳ ଦିଲ୍ଲୀର ରାଜଘାଟ ନୁହେଁ ବରଂ ଦେଶର ଅନେକ ରାଜ୍ୟରେ ଦଳ ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଦଳ କହିଛି ।

ଦିଲ୍ଲୀର ରାଜଘାଟ ଠାରେ କଂଗ୍ରେସର ବରିଷ୍ଠ ନେତାମାନେ ସତ୍ୟାଗ୍ରହରେ ବସିଛନ୍ତି । ଏହି ସତ୍ୟାଗ୍ରହରେ ଉପସ୍ଥିତ ଥିବା ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଧିର ରଞ୍ଜନ ଚୌଧୁରୀ, ପି,ଚିଦାମ୍ବରମ୍, ଜୟରାମ ରମେଶ, ସଲମାନ ଖୁର୍ସିଦ୍, ପ୍ରମୋଦ ତିୱାରୀ, ଅଜୟ ମାକେନ ଓ ମୁକୁଲ ବାସନିକ । ମହାତ୍ମା ଗାନ୍ଧୀ ସମାଧୀସ୍ଥଳରେ ଧାରଣା ଦେବାକୁ ଅନୁମତି ନମିଳିବାରୁ ଦଳର ନେତାମାନେ ରାଜଘାଟ ଠାରେ ଧାରଣା ଦେଇଛନ୍ତି । ସେପଟେ ସାଂସଦ ପଦ ଯିବା ପରେ ରାହୁଲ ଗାନ୍ଧୀ ଆଜି ତାଙ୍କ ଟ୍ୱିଟରର ବାୟୋ ବଦଳାଇଛନ୍ତି । ଏଥିରେ ସେ ସାଂସଦ ସ୍ଥାନରେ ଅଯୋଗ୍ୟ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି । ଧାରଣା ସ୍ଥଳରେ ହିଂସାକୁ ନଜରରେ ରଖି ପୋଲିସ ରାଜଘାଟ ଓ ତାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି ।