ଶାନ୍ତି ପାଇଁ ସମ୍ବଲପୁରରେ ଶୋଭାଯାତ୍ରା। ଉଭୟ ସମ୍ପ୍ରଦାୟର ଲୋକ ସାମିଲ।

1,711

କନକ ବ୍ୟୁରୋ: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ, ସହରର ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ଶାନ୍ତି ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଏକତାର ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶୋଭାଯାତ୍ରାରେ ବ୍ୟାନରର ଗୋଟିଏ ପାଶ୍ୱର୍କୁ ଜଣେ ହିନ୍ଦୁ ଧରିଥିବାବେଳେ ଆଉ ଗୋଟିଏ ପାଶ୍ୱର୍କୁ ଜଣେ ମୁସଲିମ ସମ୍ପ୍ରଦାୟର ଲୋକ ଧରିଥିଲେ । ମଝିରେ ନିଜେ ଏସପି ଚାଲିଥିଲେ । ଶୋଭାଯାତ୍ରାରେ ଯିବାବେଳେ ରାସ୍ତାରେ ସହରବାସୀଙ୍କୁ ଫୁଲ ଦେଇ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ଶୋଭାଯାତ୍ରାକାରୀମାନେ । ଏହି ଶାନ୍ତି ଶୋଭାଯାତ୍ରାର ଆୟୋଜନ କରିଥିବା ସଂଗଠନ ଗୁଡିକୁ ଧନ୍ୟବାଦ ଦେବା ସହ ଖୁବଶୀଘ୍ର ସହରରେ ଶାନ୍ତି ଫେରି ଆସିବ ବୋଲି କହିଛନ୍ତି ଏସପି ।

ମୁସଲମାନଙ୍କ ବଡ ପର୍ବ ଇଦକୁ ନଜରରେ ପ୍ରଶାସନ ମଧ୍ୟ ସଜାଗ ହୋଇଛି । ସହରରେ ଥିବା ମସଜିଦ୍ ଗୁଡିକ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏଥିସହ ସାମ୍ପ୍ରଦାୟିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ, ଇଦ୍ ବେଳେ ସମ୍ବଲପୁରରେ ସାର୍ବଜନୀନ ସ୍ଥାନ ବଦଳରେ କେବଳ ମସଜିଦ ଭିତରେ ନମାଜ ପାଠ କରିବାକୁ ନିଷ୍ପତି ନିଆଯାଇଛି । ସହରରେ ଥିବା ଇଦଗାହରେ ସାମୂହିକ ନମାଜ ପାଠକୁ ବି ବାରଣ କରାଯାଇଛି । ଇଦ୍ ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟିରୁ ବିରତ ରହିବାକୁ ଚେତାବନୀ ଦେଇଛି ପ୍ରଶାସନ ।

ସ୍ଥିତି ସୁଧୁରୁଥିବାରୁ ସମ୍ବଲପୁର ସହରରେ କଫ୍ରୁ୍ର୍ୟକୁ ଆହୁରି କୋହଳ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କଣିପାରିବେ । ଇଣ୍ଟରନେଟ ବ୍ୟବହାର ନେଇ ମଧ୍ୟ ସମ୍ବଲପୁରବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ସହରରେ ୨୪ଘଣ୍ଟିଆ ବ୍ରଡବ୍ୟାଣ୍ଡ ଓ ଲିଜ୍ ଲାଇନ ସେବା ଉପଲବ୍ଧ କରାଯାଇଛି । ତେବେ ଏହି ସେବା ବ୍ୟବହାରକାରୀ ଇଣ୍ଟରନେଟ ସେବା ପାଇପାରିବେ । କିନ୍ତୁ ଶନିବାର ସକାଳ ୧୦ଟା ଯାଏଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି ।