ଭୂକମ୍ପରେ ଥରିଉଠିଲା ତାଇୱାନ । ଭୂମିକମ୍ପର ଭୟଙ୍କର ଦୃଶ୍ୟ, ସୁନାମି ସତର୍କତା ଜାରି

112

କନକ ବ୍ୟୁରୋ : ଭୂକମ୍ପରେ ଥରିଲା ତାଇୱାନ୍ । ତାଇୱାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି । ୨୪ ଘଂଟା ମଧ୍ୟରେ ତିନି ତିନି ଥର ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ରିକ୍ଟର ସ୍କେଲରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୨, ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୬.୯ ଥିବାବେଳେ ତୃତୀୟ ଭୂମିକମ୍ପର ତୀବ୍ରତା ୬.୪ ରହିଥିଲା ।

ତାଇୱାନରେ ଲଗାତର ଭାବେ ଅନୁଭୁତ ହୋଇଥିବା ୩ଟି ଶକ୍ତିଶାଳୀ ଭୂକମ୍ପ ଏଠାରେ ବିଶେଷ କ୍ଷୟକ୍ଷତି ଘଟାଇଛି । ସହର ପାଖ ଏକ ଜଙ୍ଗଲରେ କାମ କରୁଥିବା କିଛି ଯୁବତୀ ଓ ଯୁବକ ଭୂମିକମ୍ପ ପ୍ରଭାବରେ ତଳେ ପଡିଯାଇଛନ୍ତି । ସେମାନେ କିଛି ବୁଝିବା ପୂର୍ବରୁ ସବୁ ସ୍ଥାନ ଦୋହଲିବା ଦେଖି ସେମାନେ ଡରିଯାଇଛନ୍ତି ।

ସବୁଦିନ ଭଳି ଅଫିସରେ ନିଜ କାମରେ ବ୍ୟସ୍ତ ଥିଲେ କର୍ମଚାରୀ । କିନ୍ତୁ ହଠାତ ଅନୁଭୁତ ହେଲା ଭୂମିକମ୍ପର ଝଟକା । ଆଉ ବେଶ କିଛି ସମୟ ପର୍ଯ୍ୟନ୍ତ ଏହି ଝଟକା ଅନୁଭବ କଲେ କର୍ମଚାରୀ । ନିଜ ଜୀବନ ବଂଚାଇବା ପାଇଁ ଦୌଡୁଥିବା ବେଳେ ଜଣେ କର୍ମଚାରୀ ନିଜର ଜଣେ ସହଯୋଗୀଙ୍କୁ ସାଥିରେ ନେଇ ଅଫିସରୁ ବାହାରି ଯାଉଥିବା ଦେଖିବାକୁ ମିଳିଛି ।

ରାସ୍ତାରେ ବାଇକରେ କିଛି ଲୋକ ଯାଉଛନ୍ତି । ଧାଡ଼ି ଧାଡ଼ି ହୋଇ କିଛି ବାଇକ ଯାଉଛି । ହେଲେ ହଠାତ୍ ଝଟକା ଅନୁଭୂତ ହେଉଛି । ଗାଡ଼ି ଭାରସାମ୍ୟ ହରାଉଛି । ଗୋଟିଏ ବାଇକ ସହିତ ପିଟି ହୋଇଯାଉଛି ଆଉ ଗୋଟିଏ ବାଇକ, ଫଳରେ ଯାତ୍ରୀମାନେ ପଡ଼ିଯାଉଛନ୍ତି । ଆଉ ଏକ ହେଲମେଟ କ୍ୟାମେରାରେ ଏହି ସବୁ ଦୃଶ୍ୟ କଏଦ ହୋଇଛି ।

ଷ୍ଟେସନରେ ଅଟକି ରହିଥିଲା ଟ୍ରେନ୍ । ହେଲେ ହଠାତ୍ ଟ୍ରେନ୍ ଦୋହଲିବାରେ ଲାଗିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତି କେମିତି ହେଲା, କେମିତି ଟ୍ରେନ୍ ଆପେ ଦୋହଲିଗଲା । ହେଲେ ଏହା ଘଟିଥିଲା ଭୂମିକମ୍ପର ଝଟକା ପ୍ରଭାବରେ ।

ଭୂକମ୍ପ ପ୍ରଭାବରେ ଘର ଦ୍ୱାର ରାସ୍ତା ଘାଟ ସବୁଠି ଅନେକ କ୍ଷୟକ୍ଷତି ହୋଇଛି । ଭୂମିକମ୍ପର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ହୋଟେଲ ଗୁଡିକର ସୁଇମିଂ ପୁଲ ବି ଦୋହଲିବାକୁ ଲାଗିଥିଲା । ଏହାସହ ମାଛ ଛଡାଯାଇଥିବା ବଡ ବଡ କୁଣ୍ଡ ବି ଖୁବ୍ ଜୋରରେ ଦୋହଲି ପଡିଥିଲା ।

ଭୂମିକମ୍ପର ପ୍ରଭାବରେ ତାଇୱାନର ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ରାସ୍ତାଘାଟ ମଧ୍ୟ ଫାଟିଯାଇଥିବା ଦେଖିବାକୁ ମିଳିଛି । ଦେଖନ୍ତୁ କିପରରି ରାସ୍ତା ଫାଟିଯାଇଛି । ରାସ୍ତା ମଝିରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଏସବୁର ପ୍ରଭାବରେ ଜନଶୂନ୍ୟ ପାଲଟିଯାଇଛି ରାସ୍ତା । ଏଠାରେ ଯିବା ଆସିବା ଏକପ୍ରକାର ବନ୍ଦ ହୋଇଯାଇଛି ।

ଲଗାତର ୩ଟି ଭୂକମ୍ପରେ ଦୋହଲି ଯାଇଛି ତାଲୱାନ । ବଡ଼ ବଡ଼ କୋଠାରୁ ଆରମ୍ଭ କରି ବଡ ବଡ ହୋଟେଲ, କାର୍ଯ୍ୟାଳୟ ସବୁଠେ ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି । କୋଠା ଭିତରେ ରଖାଯାଇଥିବା ଆସବାବପତ୍ର ଜୋରରେ ଦୋହଲିବାକୁ ଲାଗିଥିଲା ।

ସପିଂ ମଲରେ କର୍ମଚାରୀ ଯଥାରୀତି କାମ କରୁଥିଲେ ଓ ଗ୍ରାହର ମଧ୍ୟଥିଲେ । ହେଲେ ହଠାତ୍ ସବୁ ଥରିବାକୁ ଲାଗିଲା । ସବୁ ଦୋହଲିବାକୁ ଲାଗିଲା । କର୍ମଚାରୀ ଓ ଗ୍ରାହକ ମାନେ ଭୟଭୀତ ହୋଇପଡ଼ିଲେ, ଆଉ ନିଜକୁ ବଂଚାଇବାକୁ ସେଠାରୁ ଦୌଡ଼ି ପଳାଇଥିଲେ ।

ସପିଂ ମଲ ଠାରୁ ଆରମ୍ଭ କରି ବଡ଼ କୋଠା, କାର୍ଯ୍ୟାଳୟ, ରେସ୍ତୁରାଁ ସବୁ କିଛି ଦୋହଲିବାକୁ ଲାଗିଥିଲା । ଲୋକେ ନିଜର ଜୀବନ ବଂଚାଇବା ପାଇଁ ବାହାରକୁ ଦୌଡିବାକୁ ଲାଗିଥିଲେ ।

ତାଇୱାନରୁ ଆସିଥିବା ଏହି ସବୁ ଦୃଶ୍ୟ ବୟାନ କରୁଛି ଭୂମିକମ୍ପ କେତେ ଶକ୍ତିଶାଳୀ ଓ ଭୟାନକ ଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ହଠାତ୍ ଭୁମିକମ୍ପ ଝଟକାରେ ସବୁ କିଛି ଦୋହଲି ଯାଉଛି । ଆଉ ଜୀବନ ବଂଚାଇବା ପାଇଁ ଯିଏ ଯେଉଁଆଡେ ଧାଇଁବାରେ ଲାଗିଲା ।