ଚିରସ୍ରୋତା ମହାନଦୀରେ ବଢୁଛି ପ୍ରଦୂଷଣ ! ସୁବର୍ଣ୍ଣପୁର ମହାନଦୀରେ ମିଶୁଛି ସହରର ଡ୍ରେନ୍ ପାଣି

62

କନକ ବ୍ୟୁରୋ : ମହାନଦୀରେ ବଢୁଛି ପ୍ରଦୂଷଣ । ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଜଳ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ସାରା ସହରର ଡ୍ରେନ ପାଣି ମହାନଦୀରେ ମିଶୁଛି । ଏଯାଏଁ ସ୍ୱରେଜ ବ୍ୟବସ୍ଥା କରାଯାଇନଥିବା ବେଳେ ମହାନଦୀ ଜଳ ଆବର୍ଜନମୟ ହେଉଛି । ସ୍ୱରେଜ ବ୍ୟବସ୍ଥା କରାଯାଇ ମହାନଦୀକୁ ସ୍ୱଚ୍ଛ ଜଳ ଛାଡିବା ପାଇଁ ଯେତିକି ଦାବି ଆପତି କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଚିରସ୍ରୋତା ମହାନଦୀ କୂଳରେ ଗଢି ଉଠିଛି ପ୍ରାଚୀନ ସହର ସୁବର୍ଣ୍ଣପୁର । ସ୍ନାନ ଶୌଚଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଯାପନରେ ଲୋକଙ୍କ ସାହାର ପାଲଟିଛି ମହାନଦୀ  ।  ହେଲେ ମହାନଦୀରେ ଜଳ ପ୍ରଦୁଷଣ ଦିନକୁ ଦିନ ବଢିବଢି ଚାଲିଛି  । ଆବର୍ଜନାମୟ ହୋଇଛି ଏବେ ଏହି ନଦୀ  । ଲୋକେ ବ୍ୟବହାର କରୁଥିବା ପଲିଥିନ, ପ୍ଲାଷ୍ଟିକ ଆଦି ମହାନଦୀର ବିଭିନ୍ନ ଘାଟରେ କୁଢ କୁଢ ହୋଇ ଜମା ହେଉଛି  । ସହରଯାକର ମଇଳା ଡ୍ରେନ ପାଣି ସିଧାସଳଖ ମହାନଦୀକୁ ଯାଉଥିବା ବେଳେ ମହାନଦୀ ଜଳ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ  । ଏହି ଜଳ ପ୍ରଦୂଷଣ ପାଇଁ ସହରବାସୀ ଦାୟୀ କରିଛନ୍ତି ପୌର ପରିଷଦ କର୍ତ୍ତୃକ୍ଷଙ୍କୁ ।

ସହରର ଦିଲବାହାଲପୁର ଠାରୁ ଆରମ୍ଭ କରି ଘୋଡାଘାଟପଡା, ମଝିପଡା, ଗଡଭିତର, ବଡବଜାର ଆଦି ସାହିଗୁଡିକର ୨୮ଟି ନାଳରେ ଡ୍ରେନ ପାଣି ସିଧାସଳଖ ମହାନଦୀରେ ପଡୁଛି । ବ୍ରିଜଘାଟ, କଦମପଡାଘାଟ, ଦଶମତିଘାଟ ଓ ତେନ୍ତୁଳିଘାଟରେ ଏହି ମଇଳା ପାଣି ପଡୁଥିବା ବେଳେ ଏହି ପାଣି ବ୍ୟବହାର କରି ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ସ୍ୱରେଜ ବ୍ୟବସ୍ଥା ତିଆରି ପାଇଁ ଅଭିଯୋଗ କଲେ ବି ପୌର ପରିଷଦ ନୀରବ । ଅପରପକ୍ଷରେ ମହାନଦୀକୁ ସ୍ୱଛ ଓ ପରିମଳ ଜଳ ଛାଡିବା ପାଇଁ ଜଳ ବିଶୋଧନ ବ୍ୟବସ୍ଥା କରିବାକୁ ସର୍ଭେ ସରିଛି ବୋଲି କହିଛନ୍ତି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ପ୍ରଦୂଷଣମୁକ୍ତ ମହାନଦୀ ପାଇଁ ଏବେ ସାରା ରାଜ୍ୟରେ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଆଗେଇ ଆସୁଛନ୍ତି  । ହେଲେ ସୁବର୍ଣ୍ଣପୁରରେ ଦିନକୁ ଦିନ ମହାନଦୀରେ ପ୍ରଦୂଷଣ ବ୍ୟାପକ ହେଉଥିବା ବେଳେ ଏଇ ସମୟରେ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ନୀରବ ରହିବା ପରିତାପର ବିଷୟ  ।