ହାତ ମିଶିଲା, ମନ ମିଶିବ ତ ! ଜି-୨୦ ସମ୍ମିଳନୀରେ ମୋଦି ଓ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା

24

କନକ ବ୍ୟୁରୋ : ହାତ ମିଶିଲା, ମନ ମିଶିବ ତ? ଏମିତି ପ୍ରଶ୍ନ ଉଠିଛି ଜି-୨୦ ସମ୍ମିଳନୀରେ ଭାରତ-ଚୀନରୁ ଦୁଇ ନେତାଙ୍କ ଆଲୋଚନା ପରେ । ଆଜି ଜର୍ମାନୀର ହମ୍ବର୍ଗରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ୍ ମଧ୍ୟରେ ଆଲୋଚନା ହୋଇଛି । ସେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା କୁହାଯାଉଥିବା ବେଳେ ପରସ୍ପରକୁ ପ୍ରଶଂସା କରିଛନ୍ତି ।

ସେପଟେ ସିକିିମ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ୍ ଭାରତକୁ ପ୍ରଶଂସା କରିଛି । ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ବକ୍ତବ୍ୟରେ ଚୀନ ରାଷ୍ଟ୍ରପତିଙ୍କୁ ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଥିଲେ । ଏପରିକି ବ୍ରିକ୍ସ ବିଶ୍ୱ ପ୍ରସଙ୍ଗରେ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଏହା ସହ ଆଗାମୀ ବିକ୍ସ ସମ୍ମିଳନୀ ପାଇଁ ଜିନ ପିଙ୍ଗଙ୍କୁ ଶୁଭେଚ୍ଛା ଜଚ୍ଚାଇବା ସହ ଭାରତର ସମସ୍ତ ସହଯୋଗ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗତ ଜୁନ ୧୬ ତାରିଖରେ ଡୋକଲାମରେ ଚୀନର ରାସ୍ତା ନିର୍ମାଣ ନେଇ ବିବାଦ ଆରମ୍ଭ ହୋଇଥିଲା । ଦୁଇ ଦେଶ ପରସ୍ପରକୁ ସୀମା ଚୁକ୍ତିର ଉଲ୍ଲଂଘନ କରୁଥିବା ନେଇ ଆରୋପ ପ୍ରତ୍ୟାରୋପ କରିଛନ୍ତି । ଉଭୟ ପକ୍ଷ ସୀମାରେ ଅଧିକ ସୈନ୍ୟ ମୁତୟନ କରିଛନ୍ତି । ଫଳରେ ସିକିମ ସୀମାରେ ଉତ୍ତେଜନା ବଢିଛି । ଏପଟେ ଜର୍ମାନୀରେ ଦୁଇ ନେତା ହାତ ମିଶାଇଥିଲେ ବି ଦୁଇ ପଡୋଶୀଙ୍କ ମଧ୍ୟରେ ମନ ମିଶିବ ନେଇ ଉଠିଛି ପ୍ରଶ୍ନ ।