ଗୁଜରାଟ ଝୁଲାପୋଲ ଦୁର୍ଘଟଣା: ଆସନ୍ତାକାଲି ମୃତକଙ୍କ ପରିବାରକୁ ଭେଟିବେ ମୋଦୀ । ହସ୍ପିଟାଲରେ ଆହତଙ୍କୁ କରିବେ ସାକ୍ଷାତ ।

123

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଯାହାକି ଆସନ୍ତାକାଲି ଶେଷ ହେଉଛି । ତେବେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ମୋରବୀ ଯିବା ସହିତ ସେଠାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟିବେ । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ହସ୍ପିଟାଲ ଯାଇ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ରବିବାର ସନ୍ଧ୍ୟାରେ ଘଟିିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏବେ ସୁଦ୍ଧା ୧୩୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ୨୦ ଜଣ ଲୋକ ବର୍ତ୍ତମାନ ସୁଦ୍ଧା ଗୁରୁତର ଭାବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବାବେଳେ, ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଝୁଲା ପୋଲ ଭୁଶୁଡିଯିବା ଫଳରେ ୧୩୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ବି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି । ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନଡିଆରଏଫ୍, ଏସଡିଆରଏଫ୍ ଓ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାତି ସାରା ୨୦୦ରୁ ଅଧିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ରେଞ୍ଜ୍ ଆଇଜିପିଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରୁଛି । ମୃତକଙ୍କ ପରିବାରକୁ ଗୁଜରାଟ ସରକାର ୪ ଲକ୍ଷ ଲେଖାଏଁ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତୀ ନିଜର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଥିଲେ । ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ । ଏହି ସମୟରେ ହଠାତ୍ ପୋଲଟି ଭୁଶୁଡିଯାଇଥିଲା । ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ କଥା ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଝୁଲା ପୋଲଟି ୭ ମାସ ହେବ ବନ୍ଦ ରହିଥିଲା । ମରାମତି ହେବା ପରେ ୩ ଦିନ ତଳେ ଲୋକଙ୍କ ପାଇଁ ଖୋଲାଯାଇଥିଲା ।