ହାରିଲା ଭାରତ, ବଦଳିଲା ସମୀକରଣ ଟିମ୍ ଇଣ୍ଡିଆ ପାଇଁ ବି ସହଜ ନୁହେଁ ସେମିଫାଇନାଲ ରାସ୍ତା । ଜାଣନ୍ତୁ କଣ ରହିଛି ସମୀକରଣ?

3,623

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବା ପରେ ଭାରତ ଏବେ ଗ୍ରୁପର ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଆଉ ଏହାସହ ଏହି ଗ୍ରୁପରୁ କିଏ ସେମିଫାଇନାଲ ଟିକେଟ ହାତେଇବ ତାହାକୁ ନେଇ ସସପେନ୍ସ ଦେଖାଦେଇଛି । କେବଳ ଏତିକି ନୁହେଁ ଭାରତର ବିଜୟରେ ବ୍ରେକ ଲାଗିବା ପରେ ଟି-୨୦ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇବା ଏବେ ଟିମ୍ ଇଣ୍ଡିଆ ପାଇଁ ସହଜ ହୋଇ ନାହିଁ । କାରଣ ଗ୍ରୁପରେ ଥିବା ୬ଟି ଟିମ୍ ମଧ୍ୟରୁ ୫ଟି ଟିମ ସେମିଫାଇନାଲ ରେସରେ ସାମିଲ ହୋଇଛି ।

ଭାରତ ବିପକ୍ଷରେ ଦମଦାର ବିଜୟ ସହ ଟି-୨୦ ବିଶ୍ୱକପ ସେମିଫାଇନାଲ ରେସରେ ଯଥେଷ୍ଟ ଆଗରେ ରହିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ୫ ପଏଣ୍ଟ ସହ ଗ୍ରୁପର ପ୍ରଥମ ସ୍ଥାନରେ ରହିଛି । ପାକିସ୍ତାନ ଓ ନେଦରଲାଣ୍ଡସ ବିପକ୍ଷରେ ପରବର୍ତ୍ତୀ ୨ଟି ମ୍ୟାଚ୍ ଖେଳିବ ଦକ୍ଷିଣ ଆଫ୍ରିକା । ତେଣୁ ଏହି ୨ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟୀ  ହେଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେସରେ ସବୁଠୁ ବଡ ଦାବିଦାର ଭାବେ ଉଭା ହେବ । ଅନ୍ୟପଟେ ବାଂଲାଦେଶ ଓ ଜିମ୍ବାୱେ ଯଦି ନିଜର ପର ବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତନ୍ତି ତେବେ ବାଂଲାଦେଶ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ ଏବଂ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ରନରେଟ ଆଧାରରେ ଗୋଟିଏ ଟିମ୍ ସେମିଫାଇନାଲରେ ପହଞ୍ଚିବ ।

ଏସବୁ ଭିତରେ ଭାରତ ପାଇଁ ସେମିଫାଇନାଲ ସମୀକରଣ କଣ ରହିବ ତାହା ଉପରେ ଥରେ ନଜର ପକାନ୍ତୁ । ସେମିଫାଇନାଲ ଟିକେଟ ହାତେଇବାକୁ ହେଲେ ଭାରତକୁ ପରବର୍ତ୍ତୀ ୨ଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷ ମ୍ୟାଚରୁ ଗୋଟିଏରେ ବିଜୟୀ ହେଲେ ମଧ୍ୟ ଭାରତ ପାଇଁ ସେମିଫାଇନାଲ ଟିକେଟ ହାତେଇବା କଷ୍ଟକର ହୋଇପଡିବ ।  ଏହାଛଡା ବାଂଲାଦେଶ ବିପକ୍ଷ ମ୍ୟାଚରେ ବର୍ଷା ସମ୍ଭାବନା ରହିଥିବାରୁ ଏହା ଭାରତ ପାଇଁ ସଙ୍କଟ ସୃଷ୍ଟି କରିପାରେ । ତେବେ ବୁଧବାର ଗ୍ରୁପ୍-୨ର ହେବାକୁ ଥିବା ୨ଟି ମ୍ୟାଚର ଫଳାଫଳ ହିଁ ସେମିଫାଇନାଲ ଚିତ୍ରକୁ କିଛି ମାତ୍ରାରେ ସ୍ପଷ୍ଟ କରିବ ।

ସେହିଭଳି ବାଂଲାଦେଶ ଟିମ୍ ୩ଟି ମ୍ୟାଚରୁ ୪ ପଏଣ୍ଟ ପାଇଥିଲେ ମଧ୍ୟ ରନ୍ ରେଟ ଆଧାରରେ ଭାରତ ତଳକୁ ତୃତୀୟ ସ୍ଥାନରେ ରହିଛି । ଆଗକୁ ଭାରତ ଓ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଳାଇବ ବାଂଲାଦେଶ । ଏଭଳି ସ୍ଥିତିରେ ବାଂଲାଦେଶ ପାଇଁ ସେମିଫାଇନାଲ ଟିକେଟ ଏତେ ସହଜ ହୋଇନପାରେ । କିନ୍ତୁ ଯଦି ବାଂଲାଦେଶ ଉଭୟ ଟିମକୁ ପରାଜିତ କରୁଛି ତେବେ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ । କିନ୍ତୁ ଯଦି ଗୋଟିଏ ମ୍ୟାଚ୍ ଜିତୁଛି ତେବେ ବାଂଲାଦେଶ ପାଇଁ ଅନ୍ୟ ଟିମର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ ।

ଅନ୍ୟପଟେ ଜିମ୍ବାୱେ ମଧ୍ୟ ସେମିଫାଇନାଲ ରେସରେ ରହିଛି । ଏବେ ସୁଦ୍ଧା ୩ଟି ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଜିମ୍ବାୱେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେମିଫାଇନାଲ ରେସରେ ରହିବାକୁ ହେଲେ ଜିମ୍ବାୱେକୁ ପରବର୍ତ୍ତୀ ୨ଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । କାରଣ ଗୋଟିଏ ମ୍ୟାଚ୍ ଜିତିଲେ ବି ଜିମ୍ବାୱେ ସେମିଫାଇନାଲ ରେସରୁ ବାଦ୍ ପଡିବ ।

ସେହିଭଳି ପାକିସ୍ତାନ ମଧ୍ୟ ସେମିଫାଇନାଲ ରେସରୁ ସମ୍ପୂର୍ଣ୍ଣ ରୂପେ ବିଦା ହୋଇନାହିଁ । କିନ୍ତୁ ପାକିସ୍ତାନକୁ ସେମିଫାଇନାଲ ଟିକେଟ ହାତେଇବାକୁ ହେଲେ ପରବର୍ତ୍ତୀ ୨ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟ ସହ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ପାକିସ୍ତାନ ପାଇଁ ‘ଯଦି ଏମିତି ହୁଏ’ ଫର୍ମୁଲା ହିଁ ଶେଷ ଅସ୍ତ୍ର । କିନ୍ତୁ ଏଥିପାଇଁ ଭାରତ ଅତିକମରେ ଗୋଟିଏ ମ୍ୟାଚ୍ ବଡ ବ୍ୟବଧାନରେ ହାରୁ ବୋଲି ପାକିସ୍ତାନ ପ୍ରାର୍ଥନା କରିବ । ସେହିଭଳି ଜିମ୍ବାୱେ ମଧ୍ୟ ଗୋଟିଏ ମ୍ୟାଚରେ ପରାଜିତ ହେଉ ବୋଲି ପାକିସ୍ତାନ ଚାହିଁବ । ଆଉ ଯଦି ଏଭଳି ସମୀକରଣ ହୁଏ ତେବେ ଉନ୍ନତ ରନରେଟର ଆବଶ୍ୟକତା ପଡିବ । ଯାହା ପାକିସ୍ତାନ ପାଇଁ ଶେଷ ଭରସା ।