ପଲିଥିନ୍ ବ୍ୟବହାର ବନ୍ଦ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି! ବ୍ରହ୍ମପୁରରେ ଲୋକଙ୍କ ସଚେତନ କଲେ ଦୂତି ଚାନ୍ଦ୍ ଓ କେ ରବି କୁମାର ।

48

ଆଜିଠୁ ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀରେ ସରକାରଙ୍କ ପ୍ଲାଷ୍ଟିକ ଓ ପଲିଥିନ ନିଷେଧାଦେଶ ଲାଗୁ ହୋଇଛି । ପଲିଥିନ୍ ବ୍ୟବହାର କଲେ ବ୍ୟବହାରକାରୀଙ୍କୁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ପଲିଥିନ୍ ବ୍ୟବହାର ନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ବ୍ରହ୍ମପୁରରେ ଧାବିକା ଦୂତି ଚାନ୍ଦ୍, ଭାରୋତଳକ କେ. ରବି. କୁମାର ପଲିଥିନ୍ ବ୍ୟବହାର ନ କରିବାକୁ ଲୋକଙ୍କୁ ବୁଝାଇଛନ୍ତି । ସେପଟେ ପୁରୀରେ ମଧ୍ୟ ପ୍ରଶାସନ ପକ୍ଷରୁ ପଲିଥିନ୍ ବ୍ୟବହାର ନକରିବାକୁ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପ୍ଲାଷ୍ଟିକ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି । ନିର୍ଦ୍ଧିଷ୍ଟ ମୋଟେଇରୁ କମ ଓଜନର ପ୍ଲାଷ୍ଟିକ୍ ବ୍ୟବହାର, ବିକ୍ରି ଓ ଉତ୍ପାଦନ ଓ ଗଛିତ ଉପରେ କଟକଣା ଜାରି କରିଛି ଜଙ୍ଗଲ ପରିବେଶ ମନ୍ତ୍ରାଳୟ ।

ଆଜିଠାରୁ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍ ଓ ଥର୍ମୋକୁଲ୍ ବ୍ୟବହାର ବନ୍ଦ ହୋଇଛି । ପିଇବା ପାଣି ପାଉଚ୍, ୨୦୦ ମିଲିଲିଟରରୁ କମ୍ ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ, ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ , ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍, ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ ହୋଇଛି । ବିବାହ ,ବ୍ରତ ଘରରେ ଥର୍ମୋକୁଲରେ ସାଜସଜ୍ଜା ମଧ୍ୟ ବନ୍ଦ ହେବ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ । ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ୍ର ମାଲିକମାନେ ମଧ୍ୟ ମାନିବେ । ଯଦି କେହି ଏହି ଆଇନର ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମକୁ ଉଲ୍ଲଙ୍ଘନ କରେ ସେନେଇ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ପରିବେଶ ଉଲ୍ଲଙ୍ଘନ ଆଇନ ୧୯୮୬ ଅନୁସାରେ ଆଇନ ଉଲ୍ଲଙ୍ଘନକାରୀ କମ୍ପାନୀକୁ ୫ବର୍ଷ ଜେଲ କିମ୍ବା ଲକ୍ଷେ ଟଙ୍କା ଜୋରିମାନାର ଦଣ୍ଡବିଧାନ ହେବ । ଏହା ସହ ଦିନକୁ ୫ ହଜାର ଟଙ୍କା ଅତିରିକ୍ତ ଫାଇନ ଆଦାୟ କରାଯିବ ।

ସେପଟେ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରି ପରିବେଶକୁ ବଂଚାଇବା ବାଲୁକା କଳା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଟ୍ ପ୍ଳାଷ୍ଟକ୍ ପଲ୍ୟୁସନ ଟ୍ୟାଗ୍ ଦେଇ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତା ଦେଇଛନ୍ତି ସୁଦର୍ଶନ । ପଲିଥିନ୍ ଓ ପାଣି ବୋତଲ ବ୍ୟବାହାରକୁ ବର୍ଜନ କରି ଓଡିଶାକୁ ପ୍ଲାଷ୍ଟିକ୍ ଫ୍ରି କରିବାକୁ ସୁଦର୍ଶନ ଆହ୍ୱାନ ଦେଇଛନ୍ତି । ସୁଦର୍ଶନ କହିଛନ୍ତି ପ୍ଲାଷ୍ଟିକ ବନ୍ଦ ନେଇ ସଚେତନ ହେବା ଆବଶ୍ୟକ ଓ ସମସ୍ତେ ନିଜ ନିଜ ସ୍ତରରେ ପଲିଥିନ ବ୍ୟାନ ନେଇ ପଦକ୍ଷେପ ନେବା ଆବଶ୍ୟକ । ଏହା ହେଲେ ପଲିଥିନର ବ୍ୟବହରାକୁ ରୋକାଯାଇପାରିବ । ପଲିଥିନ ପରିବଶେକୁ କ୍ଷତି ପଂହଚାଇଥାଏ ।