ଆଉ ଦୌଡିବାକୁ ପଡିବନି ପଂଚାୟତ କାର୍ଯ୍ୟାଳୟ, ଏଣିକି ସିଧା ଆକାଉଣ୍ଟକୁ ଆସିବ ପେନସନ୍ ! ଆସନ୍ତାମାସରୁ ପର୍ଯ୍ୟାୟକ୍ରମେ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
କନକ ବ୍ୟୁରୋ: ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ପେନସନ୍ ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏ ନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଆଉ ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ସବୁ ସହରାଞ୍ଚଳ ଓ ବ୍ଲକ୍ ମୁଖ୍ୟାଳୟରେ ଲାଗୁ ହେବ। ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ବି ଲାଗୁ କରାଯିବ। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ସବୁ ଜିଲ୍ଲାପାଳଙ୍କୁ ଗତକାଲି ଚିଠି ଲେଖିଛନ୍ତି।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଓ ମଧୁବାବୁ ପେନସନ୍ ଯୋଜନାରେ ମିଳୁଥିବା ପେନସନ୍ ନଭେମ୍ବର ମାସରୁ ସମସ୍ତ ସହରାଞ୍ଚଳର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଡିସେମ୍ବର ମାସରୁ ସବୁ ବ୍ଲକ୍ ମୁଖ୍ୟାଳୟରେ ଥିବା ପଞ୍ଚାୟତଗୁଡ଼ିକର ହିତାଧିକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଯେହେତୁ ନଭେମ୍ବର ମାସର ପେନସନ୍ ସେହି ମାସର ୩୦ ତାରିଖ ପରେ ଯିବ ତେଣୁ ତାହା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟ୍, ଆଧାର ଲିଙ୍କ୍ ଓ ବ୍ୟାଙ୍କ କାଗଜପତ୍ରର ଡିଜିଟାଇଜେସନ୍ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଆକାଉଣ୍ଟ୍ ନାହିଁ, ସେମାନଙ୍କ ନୂଆ ଆକାଉଣ୍ଟ୍ ଖୋଲିବାକୁ କୁହାଯାଇଛି। ନଭେମ୍ବର ୧୫ ତାରିଖରେ ହିତାଧିକାରୀମାନେ ପେନସନ୍ ନେବାକୁ ପଞ୍ଚାୟତ ମୁଖ୍ୟାଳୟକୁ ଆସିବା ସମୟରେ ସେମାନଙ୍କୁ ବ୍ୟାଙ୍କ୍ ପାସବୁକ୍ ଓ ଆଧାର କାର୍ଡ ଆଣିବା ପାଇଁ କୁହାଯିବ। ସେଠାରେ ସେସବୁର ଜେରକ୍ସ କରିବାକୁ ବନ୍ଦୋବସ୍ତ କରିବା ପାଇଁ କୁହାଯାଇଛି। ସେହିଦିନ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ସେଠାକୁ ଡକାଯାଇ ହିତାଧିକାରୀମାନଙ୍କ ଆକାଉଣ୍ଟ୍ ଖୋଲାଯିବା ଓ ଅପ୍ଡେଟ୍ କରିବା ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ।
ନଭେମ୍ବର ୧୫ ସୁଦ୍ଧା ସବୁ ସହରାଞ୍ଚଳ ଓ ଡିସେମ୍ବର ୧୫ ତାରିଖ ସୁଦ୍ଧା ବ୍ଲକ୍ ମୁଖ୍ୟାଳୟ ପଞ୍ଚାୟତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ସମସ୍ତ ପଞ୍ଚାୟତରେ ୨୦୨୦ ଜାନୁଆରି ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ତେବେ ବ୍ୟାଙ୍କିଙ୍ଗ୍ ସୁବିଧା ନ ଥିବା ଗ୍ରାମାଞ୍ଚଳରେ ଯଦି ହିତାଧିକାରୀ ନଗଦ ଅର୍ଥ ନେବାକୁ ଚାହିଁବେ, ତେବେ ପଞ୍ଚାୟତରେ ପୂର୍ବ ପରି ତାହା ପ୍ରଦାନ କରାଯିବ ବୋଲି ବିଭାଗ ସ୍ପଷ୍ଟ କରିଛି।