୬ ମାସ ତିଷ୍ଠି ପାରିବନି ସିନ୍ଦେ ସରକାର, ମହାରାଷ୍ଟ୍ରରେ ପୁଣି ନିର୍ବାଚନ । ଏନସିପି ନେତାଙ୍କୁ ସତର୍କ କରାଇଲେ ପାୱାର ।

341

କନକ ବ୍ୟୁରୋ : ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଶପଥ ନେଇଥିବା ବେଳେ ଆଜି ଫ୍ଲୋର ଟେଷ୍ଟକୁ ଓହ୍ଲାଇବ । ତେବେ ବହୁମତ ସାବ୍ୟସ୍ତ ପୂର୍ବରୁ ମହାରାଷ୍ଟ୍ର ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଶରଦ ପାୱାର ବଡ ବୟାନ ଦେଇଛନ୍ତି । ଯାହା ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ରୋଚକ କରିଛି । ଶରଦ କହିଛନ୍ତି, ସିନ୍ଦେ ସରକାର ୬ ମାସରୁ ଅଧିକ ସମୟ ଚାଲିବନି । ତେଣୁ ପୁଣିଥରେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ପାୱାର ।

ଏନସିପି ବିଧାୟକ ଓ ଅନ୍ୟ ନେତାଙ୍କ ସହ ଆଲୋଚନା ପରେ ପାୱାର ଏଭଳି ଟିପ୍ପଣୀ କରିଛନ୍ତି । ତେବେ ପାୱାର ଏଭଳି କହିଥିବା ନେଇ ଦଳର ଜଣେ ବିଧାୟକ ସୂଚନା ଦେଇଛନ୍ତି । ଉକ୍ତ ବିଧାୟକଙ୍କ ସୂଚନା ଅନୁଯାୟୀ ପାୱାର କହିଛନ୍ତି ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ବିଧାୟକ ଖୁସି ନାହାନ୍ତି । ମନ୍ତ୍ରାଳୟ ବଣ୍ଟାଯିବା ପରେ ହିଁ ଅସଲି ବିଦ୍ରୋହ ଆରମ୍ଭ ହେବ । ଯାହାଦ୍ୱାରା ସିନ୍ଦେ ସରକାର ନିଶ୍ଚୟ ଭାଙ୍ଗିବ । ଏପରିକି ବିଦ୍ରୋହୀ ବିଧାୟକ ପୁଣିଥରେ ଦଳକୁ ଫେରିବେ ବୋଲି କହିଛନ୍ତି ପାୱାର । ଆଉ ମାତ୍ର ୬ ମାସ ସମୟ ଅଛି, ଏନସିପି ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ବିତାନ୍ତୁ ।