କନକ ବ୍ୟୁରୋ : ୮ ବର୍ଷ ବିତିଗଲା, ହେଲେ ସାମନାକୁ ଆସିଲାନାହିଁ ବ୍ଲାକ୍ ରୋଜର ସତ । ଆଜି ବି ରହସ୍ୟ ଘେରରେ ରହିଛି ବ୍ଲାକ୍ ରୋଜର କାହାଣୀ । ଏହି ଜାହାଜ କାହାର, କିଏ ବେଆଇନ ଭାବେ ଖଣି ଚୋରା ଚାଲଣ କରୁଥିଲା, ତାହା ମଧ୍ୟ ଅନ୍ଧାର ଭିତରେ ରହିଛି । ୨୦୦୯ରେ ଘଟିଥିବା ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଏବେ ବାଟ ଖୋଲିଛି । ସିବିଆଇ ତଦନ୍ତ କରି ଏହି ରହସ୍ୟ ଉପରୁ ପରଦା ହଟାଇବା ପାଇଁ ରିଜୋଲୁସନ୍ କରିଛି ପାରାଦୀପ ପୋର୍ଟ ଟ୍ରଷ୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ବ୍ଲାକ୍ ରୋଜର ରହସ୍ୟମୟ କାହାଣୀ । ୮ ବର୍ଷ ଧରି ପ୍ରହେଳିକା ଭିତରେ ରହିଛି ପାରାଦୀପ ବନ୍ଦର ନିକଟରେ ଏମ୍ ଭି ବ୍ଲାକ୍ ରୋଜ୍ ବୁଡିଯିବା ଘଟଣା । ୯ ସେପ୍ଟେମ୍ବର ୨୦୦୯ ।କୋଟି କୋଟି ଟଙ୍କାର ଲୁହା ପଥର ବୋଝେଇ ହୋଇଥିବା ବ୍ଲାକ୍ ରୋଜ୍ ବୁଡି ଯାଇଥିଲା ବନ୍ଦରର ଅଳ୍ପ ଦୂରରେ । ଏହି ଘଟଣାରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ବହୁ ଉଦ୍ୟମ ପରେ ବି ଜାହାଜକୁ ସମୁଦ୍ର ମଧ୍ୟରୁ ବାହାର କରାଯାଇପାରିନଥିଲା । ଜାଲ କାଗଜପତ୍ରରେ ଚାଲୁଥିବା ବ୍ଲାକ୍ ରୋଜର ମାଲିକ କିଏ? କିଏ ଲୁହାପଥର ପଠାଇଥିଲା, କାହା ପାଖକୁ ଯାଉଥିଲା, ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି ।
କୋଟି କୋଟି ଟଙ୍କାର ଏହି ଜାହାଜର ମାଲିକାନା ନେଇ ମଧ୍ୟ କେହି ଦାବି କରିନାହାନ୍ତି । ଘଟଣାକୁ ୮ ବର୍ଷ କିତିଯାଇଛି, ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଦନ୍ତ, ଏହି ରଦସ୍ୟ ଉପରୁ ପରଦା ଉଠାଇପାରିନାହିଁ । ଉପଯୁକ୍ତ ଅନୁମତି ନଥାଇ କିପରି ଏହି ଜାହାଜ ପାରାଦୀପ ବନ୍ଦରରେ ପ୍ରବେଶ କରିଥିଲା । ତାର ମଧ୍ୟ ଉତର ମିଳିନାହିଁ ।
କିନ୍ତୁ ଏବେ ଏହି ରହସ୍ୟ ଉପରୁ ପରଦା ଉଠାଇବା ସହ ଅପରାଧିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ରିଜୋଲୁସନ କରିଛନ୍ତି ପାରାଦୀପ ପୋର୍ଟ ଟ୍ରଷ୍ଟ ।ଏଠି ପ୍ରଶ୍ନ ଉଠୁଛି, ଏତେ କ୍ଷତି ପରେ ବି କାହିଁକି ଦୋଷୀଙ୍କୁ ଖୋଜି ପାଉନାହାନ୍ତି ତଦନ୍ତକାରୀ ଦଳ । କାହାର ଚାପରେ ତଦନ୍ତ ଦିଗହରା ହୋଇଛି? ସମୁଦ୍ର ଭିତରେ ଜାହାଜ ବୁଡିଯାଇଥିବା ବେଳେ ଏହାର ମାଲିକ କାହିଁକି ଲୋକଲୋଚନକୁ ଆସିଲେ ନାହିଁ? ଯାହାର କୋଟି କୋଟି ଟଙ୍କାର ଲୁହାପଥର ବୁଡିଗଲା, ତାଙ୍କୁ କାହିଁକି ଚିହ୍ନଟ କରାଯାଇନାହିଁ । ଓଡିଶାର ଖଣି ସ୍କାମ୍ ସହ ବ୍ଲାକ୍ ରୋଜ୍ର ସଂପର୍କ ରହିଛି କି? ଏସବୁ ପ୍ରଶ୍ନ ଉତର ମିଳିଲେ ବଡ଼ ଧରଣର ଷଡଯନ୍ତ୍ର ସାମନାକୁ ଆସିପାରନ୍ତା ।