ଜାତିସଂଘ ଶରଣରେ ପାକିସ୍ତାନ । ଭାରତକୁ ବୁଝାଇବା ପାଇଁ କଲା ଅନୁରୋଧ ।

ଏପଟେ ଭାରତକୁ ଧକମ ଆଉ ସେପଟେ ଭାରତ ସହିତ ଆଲୋଚନା ପାଇଁ ଜାତିସଂଘର ଶରଣ ଲୋଡ଼ିଛି ପାକସ୍ତାନ ।

1,877

କନକ ବ୍ୟୁରୋ: ପାକିସ୍ତାନର ଦୋ-ମୁହାଁ ନୀତି । ଏପଟେ ଭାରତକୁ ଧକମ ଆଉ ସେପଟେ ଭାରତ ସହିତ ଆଲୋଚନା ପାଇଁ ଜାତିସଂଘର ଶରଣ ଲୋଡ଼ିଛି ପାକସ୍ତାନ । ପୁଲୱାମା ଆତଙ୍କୀ ହମଲା ନେଇ ଭାରତର କୋଣ ଅନୁକୋଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କେଉଁଠି ପାକିସ୍ତାନ ପତାକାକୁ ଜଳା ଯାଉଛି ତ କେଉଁଠି ପାକ ବିରୋଧୀ ନାରାରେ ପ୍ରତିବାଦ କରାଯାଉଛି । ଦେଶବ୍ୟାପୀ ପାକ୍ ବିରାଧୀ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଜାତିସଂଘ ହସ୍ତକ୍ଷେପ ଲୋଡ଼ିଛି ପାକିସ୍ତାନ ।

ସୂଚନା ମୁତାବକ ପାକିସ୍ତାନ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେଶୀ ପୁଲୱାମା ଆତଙ୍କୀ ହମଲା ପରେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତାର ସମାଧାନ ପାଇଁ ଜାତିସଂଘକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏବଂ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ଭାରତ ଯେଉଁ ବଳ ପ୍ରୟୋଗ କରୁଛି, ତାହା ପାକିସ୍ତାନର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରୁଛି । ଏବଂ ଏହା ଆଗକୁ ବଡ଼ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି ପାକିସ୍ତାନ ।

ସେପଟେ ଗତ ୧୪ ତାରିଖରେ ଜମ୍ମୁ-କଶ୍ମୀର ପୁଲୱାମା ଠାରେ ଆତଙ୍କୀ ହମଲାରେ ଭାରତର ୪୦ରୁ ଉଦ୍ଧ୍ୱର୍ ଯବାନ ସହିଦ ହେବା ଘଟଣା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଅଧିକ ତୀବ୍ର ହେବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା ଯେ, କେନ୍ଦ୍ର ସରକାର ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରୁ ସମ୍ପର୍କ ତୁଟାଇ ଦେଇଛନ୍ତି । ଏବଂ ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ବାରମ୍ବାର କହୁଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ଏହାକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମୁହଁ ଖୋଲିଛନ୍ତି । ସବୁଥର ଭଳି ଏଥର ମଧ୍ୟ ମୁଣ୍ଡରୁ ଦୋଷ ଛଡ଼ାଇ ବାହାନା କାଢ଼ିଛି ପାକିସ୍ତାନ । ଏପରିକି ଯଦି ଭାରତ ପାକ୍ ଉପରେ ଆକ୍ରମଣ କରେ ତେବେ ପାକିସ୍ତାନ ଏହାର ଜବାବ ଦେବ ବୋଲି ନାଲି ଆଖି ଦେଖାଇଛି ପାକ୍ । ସେପଟେ ଦେଶରେ ଏବେ ଗୋଟିଏ ସ୍ୱର ପାକିସ୍ତାନକୁ ସାବାଡ଼ କର ।