ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଲା ବଲୁଚି ଲିବରେଶନ ଆର୍ମି । ଭିଡିଓ ଜାରି କରି ଦେଲା ଏଭଳି ଧମକ

151

କନକ ବ୍ୟୁରୋ : ପାକିସ୍ତାନରେ ରହୁଥିବା ଚୀନର ଅଧିକାରୀଙ୍କୁ ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଚୀନ ଅଧିକାରୀଙ୍କ ଆବାସରେ ଆତ୍ମଘାତି ବିସ୍ଫୋରଣ କରିବାକୁ ଏହି ଭିଡିଓରେ ଧମକ ଦିଆଯାଇଛି । ଭିଡିଓ ଜାରି କରି ଚୀନ ରାଷ୍ଟ୍ରପତି ଓ ପାକିସ୍ତାନ ଜେନରାଲଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛି ବେଲୁଚି ଲିବରେଶନ ଆର୍ମି ।

ଗତ କିଛି ବର୍ଷ ହେବ ବେଲୁଚିସ୍ତାନକୁ ସ୍ୱାଧୀନ କରିବା ଦାବି କରି ଲଗାତର ସଂଘର୍ଷ ଜାରି ରଖିଥିବା ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରିଛି । ଭିଡିଓରେ ଜଣେ ଯବାନ ଇଂଗ୍ରାଜୀ ଭାଷାରେ ସ୍ପଷ୍ଟ କହୁଛି କି ବେଲୁଚିସ୍ତାନରେ ଥିବା ଚୀନ ଅଧିକାରୀ ଓ ନାଗରିକଙ୍କ ଠିକଣାରେ ଆତ୍ମଘାତି ଆକ୍ରମଣ କରିବାକୁ ଏକ ଅଲଗା ଟିମ୍ ପ୍ରସ୍ତୁତ କରାଯାଇଛି ।

ବେଲୁଚିସ୍ତାନ ଲିବରେଶନ ଆର୍ମିର ଏକ ଶାଖା ମସଜିଦ୍ ବ୍ରିଗେଡ ଏକ ନୂଆ ଆତ୍ମଘାତି ଶାଖା ଗଠନ କରିଛି । ଯାହାର ଉଦ୍ଦେଶ୍ୟ ରହିଛି କି, କେବଳ ଚୀନ ଠିକଣା ଓ ଚୀନ ନାଗରିକ ଏବଂ ଅଧିକାରୀମାନଙ୍କୁ ଟାର୍ଗେଟ୍ କରିବା । ଭିଡିଓରେ ବେଲୁଚିସ୍ତାନ ଲିବରେଶନ ଆର୍ମିର ଯୋଦ୍ଧା ସ୍ପଷ୍ଟ କହୁଛନ୍ତି କି, ‘ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କାନଖୋଲି ଶୁଣିନିଅ ତୁମେ ଏହି ସମୟରେ ବେଲୁଚିସ୍ତାନକୁ ଛାଡିଦିଅ, ଖାଲି କରିଦିଅ ନହେଲେ ବେଲୁଚିସ୍ତାନର ନାଗରିକଙ୍କ ମୃତ୍ୟୁର ସାକ୍ଷୀ ତୁମେ ରହିବ’

ଏହି ଭିଡିଓରେ ସ୍ପଷ୍ଟ ଧମକ ଦିଆଯାଇଛି କି, ଯଦି ଚୀନ ବେଲୁଚିସ୍ତାନରୁ ସେମାନଙ୍କ ଅଧିକାରୀ ଓ ନାଗରିକଙ୍କୁ ନେଇ ନଯାଏ ତେବେ ସେମାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରାଯିବ ଓ ଏହାକୁ ଦେଖିବାକୁ ଜିନପିଙ୍ଗ ପ୍ରସ୍ତୁତ ରୁହନ୍ତୁ । ଏହାସହ ସିଧାସଳଖ ଚୀନ ରାଷ୍ଟ୍ରପତିଙ୍କୁ ଧମକ ଦେଇଛି ଏହି ଲିବରେଶନ । ଭିଡିଓରେ କୁହାଯାଇଛି କି, ଯଦି ଚୀନ ବେଲୁଚିସ୍ତାନକୁ ସ୍ୱାଧୀନ ନ କରେ ତେବେ ବେଲୁଚିସ୍ତାନରେ ଥିବା ପାକିସ୍ତାନ ଲେଫ୍ଟନାଣ୍ଟ ଜେନେରଲ ଅସଲମ ବଲୋଚ ବି ଜିନପିଙ୍ଗଙ୍କୁ ରକ୍ଷା କରିପାରିବେ ନାହିଁ ।