ପ୍ରଭାସ ରାଉତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ : ଜେରା ବେଳେ ତଦନ୍ତକାରୀ ଟିମକୁ ମିଳିଛି ଅନେକ ତଥ୍ୟ

36

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ କେଳେଙ୍କାରୀ । ମୁଖ୍ୟ ଅଭିଯୁକ୍ତ ପ୍ରଭାସ ରାଉତଙ୍କ ସରିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ୫ଦିନିଆ ରିମାଣ୍ଡ ଆଜି ଶେଷ ହୋଇଥିବାବେଳେ ତାଙ୍କୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ । ଦୁଇଟି ପର୍ଯ୍ୟାୟରେ ପ୍ରଭାସଙ୍କୁ ଜେରା ବେଳେ ତଦନ୍ତକାରୀ ଟିମକୁ ଅନେକ ତଥ୍ୟ ମିଳିଛି । ନେତା, ଓଲିଉଡ କଳାକାରଙ୍କ ସହ ମିଶି ପ୍ରଭାସ ନିଜ କଳା ସାମ୍ରାଜ୍ୟର କଳେବର ବୃଦ୍ଧି କରୁଥିଲେ ବୋଲି ଜାଣି ପାରିଛି କ୍ରାଇମବ୍ରାଂଚ । ସେପଟେ ତାଙ୍କ ଆନ୍ତଃରାଜ୍ୟ କାରବାରର ମଧ୍ୟ ଖୋଳତାଡ କରାଯାଇଛି । ଗୁଜରାଟ ଯାଇଥିବା କ୍ରାଇମବ୍ରାଂଚର ଏକ ଟିମକୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି । ଜମାକାରୀଙ୍କ ବୟାନ ରେକର୍ଡ କରିବା ସହ ଗୁଜରାଟରେ ଓସ୍କାର ବିରୋଧରେ ହୋଇଥିବା ମାମଲା ଓ କେସ ଡାଏରୀକୁ ଅନୁଧ୍ୟାନ କରିଛି । ଆଗକୁ ବ୍ୟାଙ୍କ ଆକାଉଂଟ ସଂପର୍କରେ ଅଧିକ ଛାନଭିନ କରିବ କ୍ରାଇମବ୍ରାଂଚ । ସେହିପରି ଗଞ୍ଜାମ ଯାଇଥିବା କ୍ରାଇମବ୍ରାଂଚର ଆଉଏକ ଟିମ୍ ବେଲଗୁଂଠା, କୁକୁଡାଖଣ୍ଡି ଓ ଲୋଚାପଡାରେ ଓସ୍କାର ଚିଟଫଣ୍ଡ କମ୍ପାନିର ୭ ଏକର ଜମି ଠାବ କରିଛି ।

ସେପଟେ ବ୍ରହ୍ମପୁରରେ ଓସ୍କାର ଚିଟ୍ଫଣ୍ଡ ଲିଙ୍କ୍ ନେଇ ଖୋଳତାଡ଼ କରି ଫେରିଛି କ୍ରାଇମବ୍ରାଂଚ ଟିମ୍ । କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ ବ୍ରହ୍ମପୁର ଯାଇ ଓସ୍କାର ମୁଖ୍ୟ ପ୍ରଭାସ ରାଉତ ଏବଂ କଂପାନୀର ନିର୍ଦେଶକ ମୁନା ପାତ୍ରଙ୍କ ଜମିଜମା କାରବାର ନେଇ ଖୋଳତାଡ଼ କରିଛି । ଦୀର୍ଘ ୫ ଘଂଟା ଧରି ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟରେ ବସି ମୁନା ପାତ୍ର ଓ ପ୍ରଭାତ ରାଉତଙ୍କ ନାମରେ ଥିବା ଜମିଜମା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ତହସିଲ୍ ରେକର୍ଡ଼ରୁ ମୁନା ପାତ୍ରଙ୍କ ନାମରେ ଥିବା ତନରଡ଼ା, ଗୁଡ଼ିପଲ୍ଲୀ ଉଡ଼୍ରା, ବେଲଗୁଣ୍ଠା ବ୍ଳକ୍ ଫଛପଟ ଓ ଠେଙ୍ଗାଧରା ନିକଟରେ ଥିବା ପ୍ଳଟିଂ ଓ ଜାଗା ବୁଲି ଦେଖିଥିଲେ । ଏହି ସ୍ଥାନ ଗୁଡ଼ିକର ଦସ୍ତାବିଜର ନକଲ ତହସିଲ କାର୍ଯ୍ୟାଳୟରୁ ନେଇ ଫେରିଛନ୍ତି ।